ନୀରବତା
ନୀରବତା
ନୀରବତା ଏକ ପବିତ୍ର ଶବ୍ଦଟି
ସତେ ପୁଣ୍ୟ ଗଙ୍ଗାଝର,
ସହନଶୀଳତା ଯା'ର ଅନ୍ତଃସ୍ଵର
ସିଏ ଧୈର୍ଯ୍ୟର ସ୍ଵାକ୍ଷର।
ନୀରବତା ପଛେ କ୍ଷମା ଲୁଚିଥାଏ
କ୍ରୋଧକୁ କରାଏ ଶାନ୍ତ,
ନୀରବତା ପାଇଁ ସମସ୍ୟା ଗୁଡ଼ିକ
ହୋଇଯାଏ ସମାଧିତ।
ଯେଉଁଠାରେ ଥାଏ ପୁଣ୍ୟ ନୀରବତା
ସେଠି ଥାଏ ଅଧିକାର ,
ଯେମିତି ଧରିତ୍ରୀ ନୀରବ ସର୍ବଦା
ତେଣୁ ସେ ମାଆ ଆମର।
ନୀରବରେ ଜଗା ବଡ଼ ଦେଉଳରେ
ଚକା ଆଖି ମେଲି ଅଛି,
ନୀରବେ ପ୍ରାଣୀଙ୍କ ପାପ ପୁଣ୍ୟ ସବୁ
ନିରୀକ୍ଷଣ କରୁଅଛି।
ନୀରବରେ ଗାଈ ଦୋହନ ସମୟେ
ଯେହ୍ନେ ଠିଆ ହୋଇଥାଏ,
ସେମିତି ଅନ୍ୟର ତୃଷ୍ଣା ଦୂର ପାଇଁ
ନଈ ନୀରବରେ ବହେ।
ମାଆ ଦେହ ମଳି ପୁଅର ଅର୍ଦ୍ଦଳୀ
ସହେ ଯେହ୍ନେ ନୀରବରେ,
ସେହିଭଳି ଲୁହ ନୀରବେ ଢାଳିଲେ
ପ୍ରଭୁ ପାଦ ଧୋଇପାରେ।
ଫଳଟି ଫଳାଇ ବୃକ୍ଷ ନୀରବରେ
ଯାଚିଦିଏ ପ୍ରାଣୀ ହିତେ,
ଟିକି ଚଢେଇକୁ ମମତା ପଣରେ
ଆଶ୍ରା ଦେବା ପାଇଁ ଡାକେ।
ଗୁଣୁଗୁଣୁ ପ୍ରେମ ଗୀତ ଗାଇ ସିନା
ଉଡୁଥାଏ ଭଅଁରଟି ,
ନୀରବ ଈଶାରା ଦେଇ ଫୁଲ ତାକୁ
ଅପଲକେ ଚାହେଁ ନିତି।
ନୀରବ ରାତ୍ରୀରେ ନୀରବ ଦିପାଳୀ
ଅନ୍ଧକାରେ ଜ୍ୟୋତି ଜାଳେ,
ଜହ୍ନ ଯେବେ ଉଠେ କଇଁ ଫୁଲ ଫୁଟେ
ପ୍ରେମ କରେ ନୀରବରେ।
ନୀରବରେ ବସି ବଗୁଲୀ ରାଣୀଟି
ଶୀକାର କରଇ ମୀନ,
ସେଭଳି ପ୍ରେମିକ ନିଶ୍ଚେ ବୁଝିପାରେ
ପ୍ରେମିକା ନୀରବ ମନ।
ନୀରବରେ ଯୋଗ ସୂତ୍ର ସ୍ଥାପିହୁଏ
ଭକ୍ତ ଭଗବାନଠାରେ,
ନୀରବରେ କବି କଳ୍ପନା ସହିତ
ଭାବନାରେ ପ୍ରେମ କରେ।
ସଭାରେ ନୀରବ ପ୍ରାର୍ଥନା ଅମର-
ଆତ୍ମାର ସଦ୍ଗତି କରେ,
ଝଡଟି ନିରବୀ ଗଲା ପରେ ପୁଣି
ଶାନ୍ତି ଖେଳେ ହୃଦୟରେ।
ନୀରବେ ସମୟ ଗତି କରେ ନିଜ
ପିଠିରେ ସ୍ମୃତିକୁ ବହି,
ସିନ୍ଦୁରା ଫାଟିଲେ ନୀରବରେ ପୁଣି
ସୁରୂଜ ଆସନ୍ତି ଉଇଁ।
ମନ୍ଦ ବାଚାଳତା ଭଲ ନୀରବତା
ଯିଏ ଚୁପଚାପ୍ ଲୋକ,
ପ୍ରକୃତ ପକ୍ଷରେ ସେହି ହିଁ ପଣ୍ଡିତ
ଭଡଭଡିଆଟା ମୂର୍ଖ।
ନୀରବତା ହେଲା ଧୈର୍ଯ୍ୟ ମାପକାଠି
ମଣିଷର ବଡପଣ,
ସ୍ଵାମୀ ସ୍ତ୍ରୀଙ୍କର କଳହେ ନୀରବ
ଜଣେ ରହିଯିବା ଭଲ।
ସପ୍ତାହରେ ଏକ ଦିନ ନୀରବତା
ଅଭ୍ୟାସ କରିଲେ ଭଲ,
ଦୁର୍ଘଟଣା ବେଳେ ନୀରବେ ନ ଦେଖି
ନେଲେ ଭଲ ମେଡିକାଲ।
ମିଥ୍ୟା ପ୍ରମାଣିତ ହେଉଥିଲେ ଲୋକ
ନୀରବେ ନ ଦେଖ ଭାଇ,
ଅନ୍ୟର ଜୀବନ ସମ୍ମାନ ପାଇଁକି
ପଦେ ସତ କୁହ ଯାଇ।
କେଉଁ କ୍ଷେତ୍ରେ ଏଠି ନୀରବ ରହିବା
କର ବିବେକ ବିଚାର,
ଅପର୍ତ୍ତି କହୁଛି ସର୍ବଦା ନୀରବ
ନୁହେଁ ଠିକ୍ ଉପଚାର।।
