ନୀଳକଇଁର ଦୁଃଖ
ନୀଳକଇଁର ଦୁଃଖ
କହ ନୀଳ କଇଁ , କାହିଁପାଇଁ ତୁହି
ନୟନୁ ଝରାଉ ଲୁହ
ଅମାବାସ୍ୟା ଯୋଗୁ ଆକାଶରେ ଆଜି
ନାହାନ୍ତି ତୋ ପ୍ରାଣ ପ୍ରିୟ ।
ଆତୁର ନୟନେ ଅନାଇଁ ଅଛୁତୁ
ଦେଖିବୁ ବୋଲି ତାହାଙ୍କୁ
ଦେଖି ତାଙ୍କ ମୁଖ ମନ ଆନନ୍ଦରେ
ଖୋଲି ଦେବୁ ପାଖୁଡ଼ାକୁ ।
ହୃଦୟ ବେଦନା କହିବୁ ଲୋ ଖୋଲି
ସାନ୍ତ୍ଵନା ପାଇବା ପାଇଁ
ମଧୁ ବୋଳା କଥା ପ୍ରିୟ ଠାରୁ ଶୁଣି
ଦୁଃଖ ଯିବ ତୋ ଦୁରେଇ ।
ମନର ମଣିଷ ବୁଝେ ମନ କଥା
ଆଉ କେ ବୁଝନ୍ତି ନାହିଁ
ବନ ପୋଡ଼ିଗଲେ ସମସ୍ତେ ଜାଣନ୍ତି
ମନ ନ ଦେଖନ୍ତି କେହ
ି ।
ପବିତ୍ର, ଶାଶ୍ଵତ, ପ୍ରେମ ଯେ ଅମର
ସବୁଦିନେ ରହେ ମନେ
ମନ ଗହନର ହୃଦୟ କାନନେ
ଲୁଚି ରହେ ସେ ଗୋପନେ ।
ଦେହରୁ ଜୀବନ ହୋଇଗଲେ ଭିନ୍ନ
କିଏ ସେ ପାରିବ ସହି
ଅଧୁରା ସପନ ନ ହେଲେ ପୁରଣ
ଶୁଖି ଯିବ ଇଚ୍ଛା ନଈ ।
କାନ୍ଦେନା ଲୋ ତୁହି ଲୋତକ ଗଡାଇ
କରିଥା ଲୋ ତୁ ପ୍ରତୀକ୍ଷା
ପ୍ରାଣ ପ୍ରିୟ ତୋର ଆସିବେ ଲୋ
ପାଶେ ରହ ତୁ ଚବିଶି ଘଣ୍ଟା ।
ତୋର ଲୁହ ପୋଛି, ଆଦରେ ଆଉଁସି
ହସି କହିବେ ଲୋ କଥା
ତୋଠାରୁ ବିଦାୟ ନେଉଛି ଲୋ ମୁହିଁ
ଅପେକ୍ଷା କରି ରହିଥା ।