STORYMIRROR

Pratima Satpathy

Classics

4  

Pratima Satpathy

Classics

ମୋ ମନ ମନ୍ଦିରରେ କଳା ଠାକୁର

ମୋ ମନ ମନ୍ଦିରରେ କଳା ଠାକୁର

1 min
20


ମୋ ମନ ମନ୍ଦିରେ ହୃଦ ସିଂହାସନେ 

    ବିରାଜ କଳା ଠାକୁର 

ଭାବ ସମୁଦ୍ରର ନୟନ ଜଳରେ 

    ଧୋଇବି ତୁମ ପୟର।


ତୁମେ ମୋ ଜୀବନ ହୃଦୟ ସ୍ପନ୍ଦନ 

    ଆଶାର ଆଲୋକ ଜ୍ୟୋତି 

ଆସ ଆସ ପ୍ରଭୁ ଚାହିଁ ରହିଛି ମୁଁ 

    ଦେଖି ପାଇବି ମୁକତି।


ସ୍ନେହର ବସନ ପାଟ ପତନିକୁ 

    ଯତନରେ ପିନ୍ଧାଇବି 

ଟିପି ଟିପି କରି ଗୋରଚନା ଚିତା 

    ମସ୍ତକରେ ସଜାଇବି।


ଦୟଣା ତୁଳସୀ ମାଳାଟି ଗଳାରେ 

     ଅତି ସୁନ୍ଦର ଦିଶିବ 

ମଲ୍ଲି ଫୁଲ ମାଳ ଗୁନ୍ଥି ବାନ୍ଧିଦେବି 

     ମହମହ ବାସୁଥିବ ।


ଭକ୍ତି ଚନ୍ଦନକୁ ବୋଳିବି ଶ୍ରୀଅଙ୍ଗେ 

    ଶ୍ରଦ୍ଧାର ଫୁଲେ ସଜାଇ 

ପ୍ରେମ ପ୍ରିତି ଭରା ନୈବେଦ୍ୟ ଅର୍ପଣ 

     କରିବି ବିହ୍ୱଳ ହୋଇ।


କାମନା ଦୀପରେ ବାସନାଘୃତ କୁ 

    ଜାଳିବି ହୋଇ ଆନନ୍ଦ

ମନପ୍ରାଣ ଦେଇ ଭଜନ କରିବି 

    ଭାବେ ହୋଇ ଗଦଗଦ।


ଶଙ୍ଖ ଚକ୍ର ଗଦା ପଦ୍ମ ବିଭୂଷିତ 

    ହୋଇ ଶୋଭା ଦିଶୁଥିବ 

ଶିରେ ଶିଖିଚୂଳ ହସ୍ତରେ ମୋହନ 

     ବଂଶୀ ଶୋଭା ପାଉଥିବ ।


ରଙ୍ଗ ଅଧରରେ ମନ୍ଦ ହାସ ଦେଖି 

    ନୟନ ହେବ ପବିତ୍ର 

ପାଞ୍ଚ ମନମୋର କର୍ପୁର ଆଳତୀ 

    ଦେଇ ହୋଇବି ତୃପତ।


ଅପୁର୍ବ ସୁନ୍ଦର କମନୀୟ କାନ୍ତି 

    ଯତି ମତି ଭୁଲା ରୁପ 

ମନର ମନ୍ଦିରେ ପାଇଲେ ତୁମକୁ 

     ଖଣ୍ଡିଯିବ ସବୁ ପାପ।


ନୁହେଁ ମୁହିଁ ରାଧା ନୁହେଁ ମୀରାବାଇ 

    ଅବା ଶ୍ରମଣା ଶବରୀ 

ଏତେ ପୁଣ୍ୟ ନାହିଁ ତଥାପି ଭାବୁଛି 

     ହୃଦେ ଧରିବି ଶ୍ରିହରୀ।


ପଚିଶି ପ୍ରକୃତି ହେବେ ସେବାକାରୀ 

    ଶ୍ରିପଦ ସେବିବେ ତୁମ 

ତନ ମନ ଧନ ସମର୍ପଣ କରି 

    ଜୀବନ ହୋଇବ ଧନ୍ୟ।


ଆଶା ବିଶ୍ଵାସରେ ଚାହିଁ ରହିଅଛି 

     କରିବ ନାହିଁ ନିରାଶ 

ଏତିକି ମିନତି ହେ କଳା ଠାକୁର 

     ମନ ମନ୍ଦିରକୁ ଆସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics