STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଅଟକି ଯାଏ

ଅଟକି ଯାଏ

1 min
129

ଆମ୍ବର ଚଇତି ମେଳଣ ସରିଗଲା ପରେ

କୋଇଲି ତା କାବ୍ୟପାଠ ସାରିଦେଲା ପରେ

ଅଟକି ଯାଏ ସେ ଘଡ଼ିଏ ଛାଇରେ

ବୈଶାଖରେ ଜଳିବା ଆଗରୁ

ଓ ଆଉ ଏକ ବସନ୍ତର ଦୀର୍ଘ ପ୍ରତୀକ୍ଷାରେ। 


ପ୍ରଣୟର ପ୍ରିୟକଥା ସରିଗଲା ପରେ

ମିଳନ ବାହାନା ସାଜି ପ୍ରତାରିତ ପରେ

ଅଟକି ଯାଏ ସେ ବିଷର୍ଣ୍ଣତାର ଶୋକ ବାଟିକାରେ

ବିଶ୍ୱାସର ଶେଷ ଶିଖା ଲିଭିବା ଆଗରୁ

ଓ ଏକ ସହର୍ଷ ସମ୍ଭାବନାର ଭିଜା ପ୍ରତୀକ୍ଷାରେ। 


ଶ୍ରାବଣର କଳା କେଶ ଶୁଖିଗଲା ପରେ

ମାଟି ଛୁଆଁ ଆଦ୍ୟ ବାସ୍ନା ତାର ହଜିଗଲା ପରେ

ଅଟକି ଯାଏ ସେ କାଦୁଆ ଗୋହିରୀଠାରେ

ମାଘର ବାଘୁଆ ଶୀତରେ ଥରିବା ଆଗରୁ

ଓ ଆଉ ଏକ ଆଷାଢ଼ର ଓଦା ପ୍ରତୀକ୍ଷାରେ। 


ଯୌବନ ଯଜ୍ଞକୁଣ୍ଡରେ ପୂର୍ଣାହୁତି ପରେ

ବୟସର ଅଣ୍ଟା ଧୀରେ ନଇଁଗଲା ପରେ

ଅଟକି ଯାଏ ସେ ଥରେ ପଛକୁ ନିରେଖି

ଆସନ୍ନ ରାତିଟା ଆସିବା ଆଗରୁ

ଓ ଏକ ପୂର୍ଣଛେଦର ଧୀର ପ୍ରତୀକ୍ଷାରେ। 


Rate this content
Log in

Similar oriya poem from Abstract