ନୀଳକଇଁ
ନୀଳକଇଁ
କାଲିଯାଏଁ ବାପା ଥିଲି ମୁଁ ନିଜର
ଗେହ୍ଲା କରୁଥିଲ ମୋତେ
କହିବା ଆଗରୁ ଦେଉ ଥିଲ ଆଣି
ସରଗ ର ଚାନ୍ଦ ସତେ ।
ଆଜି ହେଇଗଲି କେତେ ବଡ଼ ଆଉ
ପରହାତେ ଦିଅ ଟେକି
ଦୁହିତା ଜନମ ପର ଘରକୁ ଲୋ
କହୁଅଛ ଡାକି ଡାକି ।
ଓଷା ପରବରେ କରିବିନି ମାନ
କହୁଛ କାନରେ ମୋର
କାନି ପଣତରେ ବାନ୍ଧି ରଖିଥିବୁ
ସୁନା ସଂସାରକୁ ତୋର ।
ଗୁରୁ ଗୁରୁଜନ ମାନୁଥିବୁ ସଦା
ହୃଦୟେ ଭକତି ନେଇ
ସକାଳେ ସନ୍ଧ୍ୟାରେ ଜାଳିବୁ ଦୀପଟେ
ସଭିଙ୍କ ମଙ୍ଗଳ ପାଇଁ ।
ରହିଲେବି ଦୂରେ ଥିବିତ ପାଖରେ
କାଣିଚାଏ ସ୍ମୃତି ନେଇ
ହସି ହସି ଯଦି ରହିବୁ ଖୁସିରେ
ଶାନ୍ତିରେ ଯିବି ମୁଁ ଶୋଇ ।
ଦୁହିତା ରୂପରେ ପାଇଥିଲି ତୋତେ
ଦୁଇ କୂଳ ଯିବୁ ଛୁଇଁ
କୋଟିଏ ଆୟୁଷ ଲାଗି ଯାଉ ତୋତେ
ହସୁଥା ମୋ ନୀଳକଇଁ ।
