ନୀଳାମ୍ବୁ ଚିଲିକା
ନୀଳାମ୍ବୁ ଚିଲିକା
ଲାସ୍ୟମୟୀ, ହାସ୍ୟମୟୀ ସୁନ୍ଦରୀ ଚିଲିକା
ମରାଳ ମାଳିନୀ ସୁଦୃଶ୍ୟ ଚିତ୍ର ବିମଣ୍ଡିତା
ସୁନୀଳ ଚାରୁ କୁଞ୍ଚିତ ସୁନୀଳ କୁନ୍ତଳା
ମୀନ ନୟନୀ ଚିଲିକା ଶୋଭାର ପସରା
ନୀଳ କୁମୁଦିନୀ ମଣ୍ଡନା ସେ ବିଶ୍ଵ ବନ୍ଦିତା
ଲାସ୍ୟମୟୀ ହାସ୍ୟମୟୀ ସୁନ୍ଦରୀ ଚିଲିକା
ନୀଳ ଆକାଶ ତଳେକି ଏନୀଳ ଦର୍ପଣ
ବିସ୍ତୃତ ସେ ବିସ୍ତାରିତ ସରସୀ ଅନନ୍ୟ
ହ୍ରଦ ନାମେ ଦୀର୍ଘିକା ସେ ବିଳସିତ କକ୍ଷ
ଉତ୍କଳ କମଳା ତହିଁ ବିହରେ ପ୍ରତ୍ୟକ୍ଷ
ବିଚି ମାଳେ ଖେଳେ ରବି, ସୁଧାଂଶୁ ଚନ୍ଦ୍ରିକା
ଲାସ୍ୟମୟୀ ହାସ୍ୟମୟୀ ସୁନ୍ଦରୀ ଚିଲିକା
ସାଙ୍କୁଚ,ମଗର, “ଶିଶୁ ମାର, ଜଳଚର
ନାନା ରଙ୍ଗେ ବିହଙ୍ଗମ କରନ୍ତି ବିହାର
କଳରୋଳେ ମୁଖରିତ ମଧୁର ସଙ୍ଗୀତ
ସତେକି ଭାରତୀ ଗାଏ ବାଇ ବୀଣା ଯନ୍ତ୍ର
ପ୍ରବାହେ ସତେକି ଆହା ସରଗର ଗଙ୍ଗା
ହାସ୍ୟମୟୀ ଲାସ୍ୟମୟୀ ନୀଳାମ୍ବୁ ଚିଲିକା
ଜଳେ ନାବ ଖେଳେ ବାନ୍ଧି ଅଝାଲ ଦଉଡି
କଳରବେ ଗେଣ୍ଡାଳିଆ ଯାଉଥାନ୍ତି ଉଡ଼ି
ମାଳ ମାଳ ବିହଗ ଗୋ ବିହଙ୍ଗ ବିତାନ
ମଣି,ମୁକ୍ତା ଗରଭା ଗୋ କରେ ଆଲିଙ୍ଗନ
ଦର୍ଶନ ମୁଗ୍ଧେ ଦର୍ଶକ ହରଇ ଦୁଶ୍ଚିନ୍ତା
ହାସ୍ୟମୟୀ ଲାସ୍ୟମୟୀ ନୀଳାମ୍ବୁ ଚିଲିକା
ରହରହ କ୍ଷଣେ ରହ ଆରେ ଥକା ମନ
ଚକ୍ଷୁ ପୁରାଇ ତାହାର କରେ ମୁଁ ଦର୍ଶନ
ଚିତ୍ରନୁହେଁ ଚିତ୍ରସମ ଅପୂର୍ବ ଅଭିନ୍ନ
ପ୍ରକୃତ ବିଶ୍ଵେ ସମ୍ଭବ ଏ ରୂପ ଲାବଣ୍ୟ
ବର୍ଣ୍ଣିବା କୁ କାହିଁ ଜ୍ଞାନ ଲେଖିବି କବିତା
ଲାସ୍ୟମୟୀ ହାସ୍ୟମୟୀ ସୁନ୍ଦରୀ ଚିଲାକା
କେଉଁ ଅନନ୍ତ ଯୁଗରୁ ହୋଇ ପ୍ରଲମ୍ଵିତ
କେତେ କବି ଚିନ୍ତାଶୀଳ ହୋଇ ପ୍ରଲୋଭିତ
ତା ପ୍ରେମରେ ବିଜଡ଼ିତ ସୁନ୍ଦର ଆଲେଖ୍ୟ
ଲେଖିଲେ ଚିର ଭାସ୍ଵର ତା ଚିତ୍ର ଚରିତ୍ର
ସର୍ବ ଉପମାର ଖଣି ସୁଷମା ଶୁଶିଳା
ହାସ୍ୟମୟୀ ଲାସ୍ୟମୟୀ ନୀଳାମ୍ବୁ ଚିଲିକା
ବ୍ରହ୍ମାଙ୍କ ଦୁଲଣୀ ପୁଣି ବିଷ୍ଣୁ ପାଟରାଣୀ
ପପଦ୍ମାଳୟା, ଭଗବତୀ ହଂସ ବାହିନୀ
ବିଳାସ କକ୍ଷ ଚିଲିକା କିଅବା ମୋହିନୀ
ମୋହିତ କରୁଛି ଉର୍ବୀ ସେ ନୀଳ ନୟନୀ
ମୋ ମାନସ ପଟରେ ସେ ଦୁର୍ଲ୍ଲଭ ବାଳିକା
ହାସ୍ୟମୟୀ ଲାସ୍ୟମୟୀ ନୀଳାମ୍ବୁ ଚିଲିକା
