STORYMIRROR

Lata Behera

Abstract

4  

Lata Behera

Abstract

ନୀଳାଦ୍ରି ବିଜେ

ନୀଳାଦ୍ରି ବିଜେ

2 mins
406

ପ୍ରଭୁ ଜଗନ୍ନାଥ କଲେ ଘୋଷ ଯାତ୍ରା 

    ଭାଇ ଭଉଣୀଙ୍କୁ ଧରି

ମହାଲକ୍ଷ୍ମୀଙ୍କୁ ସେ ସାଥିରେ ନେଲେନି

     କୋପ କଲେ ସିଏ ଭାରି ।


ଆଷାଢ ମାସର ଶୁକ୍ଳ ଦ୍ୱିତୀୟାରେ 

     କଲେ ସିଏ ଲୀଳା ଖେଳା

ପ୍ରଭୁଙ୍କୁ ନ ଦେଖି ଜଗତ ମାତାଙ୍କ

     ବୁଡି ଯାଇ ଥିଲା ଭେଳା ।


ଆଡପ ମଣ୍ଡପେ ପ୍ରଭୁ ଜଗନ୍ନାଥ 

     ଭାଇ ଭଉଣୀ ସଙ୍ଗରେ

ବସି ପୋଡ ପିଠା ଖାଉଥିଲେ ହସି

   ଲକ୍ଷ୍ମୀ ପ୍ରବେଶ ସେଠାରେ ।


ବିମଳାଙ୍କ ଠାରୁ ପରାମର୍ଶ ଘେନି

    ମନ୍ତ୍ର ଚୂର୍ଣ୍ଣ ଫିଙ୍ଗି ଦେଲେ 

ଲକ୍ଷ୍ମୀଙ୍କର କ୍ରୋଧ ଦେଖି ଜଗନ୍ନାଥ 

     ସାନ୍ତ୍ବନା ତାହାଙ୍କୁ ଦେଲେ ।


ହେରା ପଞ୍ଚମୀରେ କଥା ଦେଇ ପ୍ରଭୁ

    ଦକ୍ଷିଣ ମୋଡ କରିଲେ 

ରାଗେ ଗରଗର ସାଗର ଦୁଲଣୀ

    ନନ୍ଦିଘୋଷ ଭାଙ୍ଗି ଦେଲେ ।


ନବମୀରେ ସନ୍ଧ୍ୟା ଦର୍ଶନ ଭକତେ

    ମନ ସରାଗେ କରିଲେ

ଦର ହସା ଓଠେ ଆଖି ଲୁହ ସ୍ରୋତେ

     ଭକ୍ତ ମାଉସୀ ଭିଜିଲେ ।


ମାଉସୀ ମା'ଠୁ ବିଦାୟ ଆଣିଣ

     ବାହୁଡା ଯାତ୍ରା କରିଲେ 

ଶୁକ୍ଳ ଏକାଦଶୀ ଶ୍ରୀମନ୍ଦିର ଆଗେ

     ସୁନା ବେଶ ସେ ହୋଇଲେ ।


କେତେ ମନଲୋଭା ଥିଲା ସେଇ ବେଶ

     ଆଖି ଯାଉଥିଲା ଲାଖି

ରାଜ ରାଜେଶ୍ବର ଦୁଲର୍ଭ ଦର୍ଶନ 

    ହେଉଥିଲେ ଭକ୍ତେ ସୁଖୀ ।


ଦ୍ୱାଦଶୀ ତିଥିରେ ଶ୍ରମର ଲାଘବେ

     ଅଧର ପଣା କରିଲେ

ପାର୍ଶ୍ବ ଦେବାଦେବୀ ଚଣ୍ଡୀ ଚାମଣ୍ଡା ଯେ 

    ପଣା ପାଇ ତୃପ୍ତ ହେଲେ ।


ତ୍ରୟୋଦଶୀ ଦିନ ନୀଳାଦ୍ରିକୁ ବିଜେ 

     କରୁଛନ୍ତି ଜଗନ୍ନାଥ 

ଦେଢଶୁର ବଳଭଦ୍ରଙ୍କୁ ଛାଡିଲେ

     ମାତ ନୁଆଇଁଣ ମାଥ ।


ସୁଭଦ୍ରାଙ୍କୁ ହସି କୋଳେଇ ନେଲେ ସେ

     ଦ୍ୱାର ଦେଶ ଛାଡି ଦେଲେ

ଜଗନ୍ନାଥ ପ୍ରଭୁ ପ୍ରବେଶ ସମୟେ 

     ଲକ୍ଷ୍ମୀ ପଥ ଓଗାଳିଲେ ।


ମୋତେ ଏକା କରି ଛାଡି ଯାଇ ଥିଲ

    କାହିଁକି ଆସିଲ ପୁଣି

ଯାଅ ପ୍ରଭୁ ରଥଯାତ୍ରା କରୁଥିବ

    ଧରି ସେ ଭାଇ ଭଉଣୀ ।


ଗୋଟେ କ୍ଷଣ ଶ୍ରୀୟା ଚାଣ୍ଡାଳୁଣୀ ଘରେ

    ରହି ଥିଲି ପ୍ରଭୁ ବୋଲି

ଅଭିମାନ କରି ତଡି ଦେଇଥିଲ 

    ତାହା କି ପାଶୋରି ଗଲି ।


ମୋ ହାତ ପରଷା ନ ଖାଇଣ ପ୍ରଭୁ

   ଜନମବେଦୀକୁ ଗଲ

ମାଉସୀ ହାତର ପୋଡ ପାଠା ଖାଇ

    ମୋତେ ମନୁ ପାଶୋରିଲ ।


ଆଜି ପୁଣି କାହିଁ ଆସିଛ ମୋ ପାଶେ

    ତୁମେ ବ୍ରହ୍ମାଣ୍ଡ ଠାକୁର

ଭାବିଛକି ସତେ ସବୁ ଭୁଲି ଯାଇ

    ଛାଡିବି ମନ୍ଦିର ଦ୍ୱାର ।


ଜଗନ୍ନାଥ ପ୍ରଭୁ ହସି କହୁଛନ୍ତି 

    ମାନ ତେଜ ପ୍ରାଣ ସହି

ତୁମ ପାଇଁ କ'ଣ ଆଣି ଅଛି ମୁହିଁ 

    ଦେଖ ତ ଟିକିଏ ଚାହିଁ ।


ରସଗୋଲା ଦେଖି ମହାଲକ୍ଷ୍ମୀ ରାଗ

    ମଥାନକୁ ଚଢିଗଲା

ନିଜେ ପୋଡ ପିଠା ଖାଇ ମହାପ୍ରଭୁ

    ଦେଖାଉଛ ରସଗୋଲା ।


ଏଡିକି କପଟୀ ହେଇଅଛ ତୁମେ

    ଭାବିଛକି ଠକି ଦେବ

ଯେତେ ଗେହ୍ଲେଇକି ଶ୍ରଦ୍ଧାରେ କହିଲେ

    ମନକୁ କି ଜିତି ଯିବ ।


ତୁମେ ତ ଜଗତ ପଡିଦାତ୍ରୀ ମାତା

    କି ଅବା ଦେବି ତୁମକୁ 

ଯାହା ଉପହାର ଦେବାକୁ ଭାବିଲି

    ଦେଖିଲି ସେଠି ତମକୁ ।


ତୁମ ବିନା ମୋର ଜୀବନ ଅଧୁରା 

   କେତେ କଷ୍ଟ ପାଇ ଅଛି 

ଅଭିମାନ ଛାଡ ରସଗୋଲା ନିଜ

    ହାତେ ମୁଁ ଖୋଇ ଦେଉଛି ।


ହସି ମହାବାହୁ ରସଗୋଲା ଖୋଇ

    ମାନକୁ ଭାଙ୍ଗି ସେ ଦେଲେ

ନୀଳାଦ୍ରିକୁ ବିଜେ କଲେ ମହାପ୍ରଭୁ 

    ଭକତ ମନ ତୋଷିଲେ ।


ଖାଁ ଖାଁ ଲାଗୁ ଲାଗୁଥିଲା ଶ୍ରୀମନ୍ଦିର 

    ତିନି ଦିଅଁଙ୍କର ବିନା

ନୀଳାଦ୍ରିକୁ ବିଜେ କଲେ ଜଗନ୍ନାଥ 

    ହସେ ନୀଳଚକ୍ର ବାନା ।


ତୁମ ଶ୍ରୀଚରଣେ ଶରଣ ପଶୁଛି 

    ରକ୍ଷା କର ଜଗନ୍ନାଥ 

ଦୋଷ ଅପରାଧ କ୍ଷମା କରି ଦେବେ

    ପାଦେ ନୂଆଉଁଛି ମାଥ । 


Rate this content
Log in

Similar oriya poem from Abstract