ନୀଳ ଆକାଶ
ନୀଳ ଆକାଶ
ହେ ନୀଳ ଅମ୍ବର,
ନୀଳାଭ୍ର ଆକାଶ..
ମୁଁ ଯେ ସସୀମ, ଖୋଜେ ମୁଁ ଅସୀମ,
ସୀମା ଅଛି କି ତୁମ,
ତୁମେ ତ ଅସୀମ..?
ମାଟି ମୋର ଦେହ,
ମାଟି ମୋର ମୋହ,
ମାଟିକୁ ଭଲପାଏ ବୋଲି ତ,
ତୁମେ ମୋ ନିଶ୍ୱାସ, ପ୍ରଶ୍ୱାସ..!
ହେ, ମୋର ଆକାଶ..
ମନ ମୁକ୍ତାକାଶ, ଖୋଜେ ତୁମ ସୀମା,
ତୁମରି ସ୍ଥାୟୀତ୍ୱ,
ତୁମେ ପରିସୀମା ଅବା ସୀମାହୀନ,
ସୀମା ଅଛି ବୋଲି ତ,
ତୁମେ ମୋ ଅସ୍ତିତ୍ୱ..!
ତୁମେ ମୋ ଆକାଶ,
ନିଃଶବ୍ଦ ପ୍ରକାଶ..
ତୁମେ ଅବଶେଷ, ଅବା ଅବଶୋଷ,
ଶବ୍ଦ ଆକାଶର ମୁକ୍ତ ଶବ୍ଦାକାଶ,
ଜୀବନ ଆକାଶ, ନିଃଶବ୍ଦ ପ୍ରକାଶ
ପରିପୂର୍ଣ୍ଣତାର ପୂର୍ଣ୍ଣ ପ୍ରତିଶବ୍ଦ..!
ହେ ମହାକାଶ,
ତୁମେ ନୀଳାକାଶ,
ପରିପୂର୍ଣ୍ଣ ତମ, ତୁମେ ନଭାକାଶ,
ଆଶାର ଆକାଶ, ଆଶାର ବଉଦ,
ମହାକର୍ଷଣର ଚିର ଆକର୍ଷଣ,
ଆକାଶ ଗଂଗାର
ନିହାରିକା ତୁମେ
ନଭଶ୍ଚୁମ୍ଭି ଆଶା ଓ ବିଶ୍ୱାସ..!
ହେ ମୋର ଅମ୍ବର,
ତୁମେ ନୀଳାମ୍ବର..
ଵିନ୍ଦୁରୁ ଆରମ୍ବ, ବିନ୍ଦୁ ବିନ୍ଦୁ ଶେଷ,
ସେ ବିନ୍ଦୁରେ ତୁମ ସିଂଧୁ ଦରଶନ,
ସେ ସିଂଧୁରେ ଅବା ତୁମେ ତ ଅଶେଷ,
ସେଥିପାଇଁ ଯେ ତୁମେ, ସ୍ଵୟଂଭୂ ସମ୍ଭବେ..
ସ୍ୱୟଂ ଚିଦାନନ୍ଦ,ଚିଦାକାଶ..!
ହେ ବିହାୟସ,
ତୁମେ ଚିଦାକାଶ..
ନାହିଁ ତୁମ୍ଭ ଶ୍ଲେଷ, ତୁମ୍ଭେ ଯେ ଆଶ୍ଳେଷ,
ନାହିଁ ତୁମ ସୀମା,ଅବା ସରହଦ,
ନାହିଁ ସୀମାରେଖା,ନାହିଁ ଆଦି ଅନ୍ତ,
ସେଥିପାଇଁ ବୋଧେ ତୁମେ ଯେ ଅନନ୍ତ,
ଅବା ସେ ଅନ୍ତରେ,
ତୁମେ ସେ ଅନନ୍ତ ଆକାଶ..!
ତୁମେ ଅନ୍ତରୀକ୍ଷ,
ହେ ନୀଳ ଗଗନ..
ଓଁରୁ ଆରମ୍ବ ପୁଣି ଓଁ ରୁ ହିଁ ଶେଷ..
ତୁମେ ଯେ ଆକୃତି, ତୁମେ ଯେ ପ୍ରକୃତି,
ତୁମେ ହିଁ ଗୋଲକ, ଗୋଲାର୍ଦ୍ଧ,
ତୁମରି ଆକାରେ, ତୁମରି ପ୍ରକାରେ
ତୁମେ ଆଭା ପ୍ରଭା, ସ୍ୱୟଂ ନିରାକାର..!
ହେ ମହାକାଶ, ଅଭ୍ର, ଖଗୋଳ..
ତୁମେ ହିଁ ଶାଶ୍ୱତ, ପ୍ରକାଶ,
ତୁମେ ହିଁ ଆନନ୍ଦ,ପରମାନନ୍ଦ,
ତୁମେ ନଶ୍ୱର ପୁଣି, ତୁମେ ଅବିନେଶ୍ୱର,
ପରୋକ୍ଷରେ ଥାଇ ତୁମେ ଯେ ପ୍ରତ୍ୟକ୍ଷ
ଅପ୍ରତ୍ୟକ୍ଷ ସତ୍ତ୍ୱ ସ୍ୱୟଂ ଆଶ୍ଚର୍ଯ୍ୟ,
ସେଥିପାଇଁ ବୋଧେ ସ୍ୱୀୟ ଉପଲବ୍ଧ,
ସମ୍ଭବେ ଲବ୍ଧ ପ୍ରତିଷ୍ଠ..!
ହେ ସର୍ବ ବ୍ୟାପକ,
ପରିବ୍ୟାପ୍ତ ତୁମେ ସର୍ବ ବ୍ୟାପ୍ତ,
ପରି ବ୍ୟାପକତାର ସୀମା ନାହିଁ ବୋଲି,
ତୁମେ ହିଁ ତ ସର୍ବ ବିଦିତ,
ତମେ ସଚରାଚର, ଜଗତ କାରଣ,
ସ୍ୱୟଂ ନିରାକାର, ସ୍ୱୟଂ ପରଂବ୍ରହ୍ମ,
ତୁମେ ହିଁ ଆଦି, ଅନ୍ତ ନାହିଁ ଯା'ର
ତୁମେ ହିଁ ଅନାଦି ପରମ ତାରଣ,
ଅରୂପରେ ରୂପ, ନିର୍ଗୁଣ, ସଗୁଣ,
ତୁମେ ହିଁ ସେ ରୂପରେ ସ୍ୱରୂପ,
ରୂପରେ ଅପାର, ରଂଗରେ ବିଭୋର,
ରଂଗ ରୂପରେ ତୁମେ ନୀଳାମ୍ବର,
ତୁମେ ତ ସୁନୀଳ, ଅବା ଘନ ନୀଳ,
ନୀଳାଭ୍ରୁ ନୀଳ ପାରାବାର..!
ନୀଳ ଆକାଶ, ନୀଳାମ୍ବର..!
ତୁମେ ହିଁ ସୁନୀଳ ଆକାଶ..।।