ନଈ...
ନଈ...
ନଈଟିଏ ସେ ନଈଟିଏ
ଚିର ସ୍ରୋତସ୍ୱିନୀ ନଈଟିଏ..
ଝର ଝର ଝରେ ଝରଣା ଦେହରୁ,
ପୁଣ୍ୟ ପ୍ରଦାୟିନୀ ନଈ ସିଏ..
ସେ ନଈ..,ସେ ରୁପା ନଈ..
ବହୁଛି ଧୀରେ,ଗିରି କାନନେ,
ଆମ ଗାଁ ପାଶେ,ଏଇ ମାଟିରେ,
ଝରି ଝରଣାର ନିର୍ଝରିଣୀ ସିଏ,
ମନକୁ ନେଉଛି ଟାଣି..,
ରେ ନଈ..ଝରଣା ରାଣୀ..
ତା ଦେହ ଠାଣି,ବାଙ୍କ ଚାହାଣୀ
ତା ଦେହ ଛବି,ରଂଗ ରଙ୍ଗୋଲି,
ଛଇ ଛବିଲି, ରସର କେଲି,
କହେ ସେଇ କାହାଣୀ..!
ନଈଟିଏ ସେ ନଈଟିଏ,
ନିତ୍ୟ ନିର୍ଝରିଣୀ ନଈଟିଏ..
କୁଳୁ କୁଳୁ ହୋଇ ବହୁଛି ଝରରୁ
ସାଗରେ ମିଶଇ ଯାଇ..
ସେ ନଈ, ଆମ ଗାଁ ନଈ
ଜୀବନ ସ୍ରୋତରେ,ପ୍ରାଣ ପ୍ରବାହରେ,
ଜୀବନ ଜୀବିକା ସେହି..,
ରେ ନଈ..ସେ ସୁନା ନଈ..
ଦୁଃଖରେ ସୁଖରେ ତା ପ୍ରାଣ ବକ୍ଷରେ,
ନୀରବେ ଯାଉଛି ବହି..!
ନଈ ଟିଏ ସେତ ନଈ ଟିଏ
ବନ ଝରଣାର ନଈ ସିଏ,
କେବେ ସେ ଝରୁଛି ଚିରସ୍ରୋତା ହୋଇ,
କେବେ ମରୁ ଭୂଇଁ ନଦୀ ସିଏ..
ସେ ନଈ..ସେ ସୁନା ନଈ..
ଜୀବନ ନୌକା ଭାସଇ ନଈରେ,
ଲହରୀ ତରଙ୍ଗ ହୋଇ, ରେ ନଈ..
ଭାସି ଭାସି ଯାଏ ଜୀବନ ସ୍ରୋତରେ
ସାଗରେ ମିଶଇ ଯାଇ..!
ନଈଟିଏ ସେ ନଈଟିଏ,
ସଦା ଚଞ୍ଚଳ ନଈଟିଏ..
ବୁକୁରେ ତାହାର କଳକଳ ନାଦ,
ଶ୍ୱେତ ମନ୍ଦାକିନୀ ଧାରା ହୋଇ..
ସେ ନଈ.., ଜୀବନ ସେଇ..
ତା ଦେହର ଜଳ,ଶୁଭ୍ର ସୁଶୀତଳ,
ହୃଦୟ ରକତ, ଶୁଦ୍ଧ ମକରନ୍ଦ
ଅମୃତ ଝରାଏ ପୁଣି, ରେ ନଈ..
ତା ଦେହର ସୁଅ,ଅଥୟ ଅଥଳ,
ଛୁଁଏ ସେ ଦି କୂଳ,ଦିଏ ନାହିଁ ଥଳ,
ଋଷିଲେ ସେ ନଈ ବଢି..!
ରେ ନଈ...!
ନଈଟିଏ ସେତ ନଈଟିଏ,
ଜୀବନ ଦାୟିନୀ ନଈ ସିଏ..
ଖିଲି ଖିଲି ହସେ ଧାରା ଶ୍ରାବଣରେ
ତା ସ୍ରୋତକୁ କିଏ ପାରେ ଧରି,
କେବେ ସେ ଚଞ୍ଚଳ,ସଦା ଛଳ ଛଳ,
ଆଖିରେ ନାଚଇ ଛାଇ..
ସେ ନଈ..,ଚିର ସୁନ୍ଦରୀ ନଈ..!
ନଈଟିଏ ସେତ ନଈଟିଏ,
ବୀର ପ୍ରସବିନୀ ନାରୀଟିଏ,
ତା ଦେହର କୂଳ,ସେ ତ ମାଆ କୋଳ,
ତା ସ୍ନେହକୁ କିଏ ମାପି ପାରି..?
ସେ ନଈ, ସେ ନଈରେ ବାଙ୍କ,
ଜୀବନ ମୋଡ଼, ଜୀବନ ସ୍ରୋତ,
ତା ରୂପ ଅମାପ, ସେ ଅମୂଲ ମୂଲ
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା,
ଜୀବନ ଲହଡି ସେଇ,
ରେ ନଈ..ପରାଣ ସେହି..!
ଜୀବନ ନୌକା ସେ ନଈ ସୁଅରେ
ଥିରି ଥିରି ଯାଏ ବାହି, ରେ ନଈ..
ସେ ନଈର ଧାରେ,ସପନ ମୁଲକ
ସୁନାର ରାଇଜ ଗଢି,
ତା ନଦୀ ବନ୍ଧ, ଉପତ୍ୟକା କ୍ଷେତ,
ସୁନା ଫଳାଉଛି ସେହି, ରେ ନଈ..
ସେ ଆମ ଜୀବନ,ଅତୁଲ୍ୟ ସମ୍ପଦ,
ଜୀବନ ଦେଉଛି ରହି..!
ନଈଟିଏ ସେ ଯେ ନଈଟିଏ,
ପ୍ରେମ ପ୍ରଣୟିନୀ ନଈଟିଏ,
ତା ନଈ ପଠାରେ ପ୍ରେମ ଓ ବିରହ
କେତେ ଭିଜୋଉଛି ସେହି,
କେତେ ଫୁଲ ଫଳ, କେତେ ଯେ ଫଗୁଣ
ସରାଗ ବାଂଟୁଛି ପୁଣି,
ତା ପାଣି ପବନ, ତା ବିଲ ବଣ କ୍ଷେତ,
ଫୁଲରେ ଫୁଲେଇ ରାଣୀ..,
ସେ ନଈ..ବିରହୀ ନଈ..
କେବେ ଅଙ୍କା ବଙ୍କା,କେବେ ସିଧା ସାଧା,
ମନକୁ ନେଉଛି ମୋହି..!
କେବେ ସେ ହସୁଚି ପୁନେଇଁ ରାତିରେ
କେବେ ଅମା ରାତି ଚାହିଁ,
ତା ଦେହ ଜୋଛନା, ତା ରୂପ ଆଇନା
ସାଜଇ ସେ ସୁନା ଗୋରୀ,
ସେ ନଈ, ସଂଦେହୀ ନଈ..
ନଈ ସେପାରି, ସେ କନକ ଗୋରୀ,
ସେ ସରଗ ପରୀ, ସେ ତ ଅପ୍ସରୀ..
ରେ ନଈ..,ଅବୁଝା ନଈ..
ସିଏ ତ ଭାରି ଚତୁରୀ,
ଚହଲା ପାଣିରେ ତା ମୁହଁ ପଖାଳେ
ପାଣିରେ ସେ ଜହ୍ନ ମୁହିଁ.. !
ସେ ନଈ..ସେ ମନୋଇ ନଈ..
ହସୁଚି ଅଳପ, ଝରୁଛି ବହଳ
ତା ସଂଜ ସକାଳ, ଅବା ଖରା ବେଳ
ଅପାସୋରା ଲାଗେ ଜାଣି,
ସେଇ ଜହ୍ନରାତି, ତାରା ଭରା ରାତି
ସ୍ମୃତି ସାଉଁଟୁଛି, ମନକୁ ମୋହୁଛି,
ସେ ପରା ଅଳସୀ ନଈ..,
ରେ ନଈ..ସେ ଚଞ୍ଚଳ ନଈ
ତା ବାଙ୍କ ଚାହାଣୀ, ତା ସ୍ୱପ୍ନ ମାଧୁରୀ
ହସରେ ନୀଳ ଲହରୀ,
ତା ହସ କାନ୍ଦରେ,ତା ଲୁହ ଲହୁରେ
ମନକୁ ନେଉଛି କିଣି..!
ନଈଟିଏ ସେ ଯେ ନଈଟିଏ,
ଜୀବନ ଯମୁନା ନଈ ସିଏ,
ଏଇଠି ଜଳିଛି ଏନ୍ତୁଡ଼ିଶାଳ ଯେ,
ସେଇଠି ଜଳିବ ଜୁଇ,
ପାପ ଓ ପୁଣ୍ୟର ମୂକ ସାକ୍ଷୀ ହୋଇ
ସଦା ଗତିଶୀଳ ସେହି,
ରେ ନଈ..ଦରଦୀ ନଈ..
ତା ଦେହରେ ପୁଣ୍ୟ,ତା ଦେହରେ ମୁକ୍ତି
ତା ପରି ପବିତ୍ର ନାହିଁ..?
ନଈଟିଏ ସେ ନଈଟିଏ..
କେବେ ସେ ବିରହୀ, କେବେ ପ୍ରଣୟିନୀ
ସୁଖରେ ଦୁଃଖରେ ରହି,
ତା ବୁକୁ ଶୂନ୍ୟତା, ନିଃସ୍ୱ ଗଭୀରତା,
ହୃଦୟ ଥରାଏ ସେହି,
ତା ପ୍ରେମ ପୁଲକ, ପୁଣ୍ୟ ପବିତ୍ରତା
ହୃଦୟକୁ କରେ ଋଣୀ..,
ସେ ନଈ..ପ୍ରେମର ନଈ..
ସ୍ନେହ ସୋହାଗରେ ପ୍ରୀତିର ପରଶେ
ପ୍ରେମ ପ୍ରଣୟିନୀ ନଈ..!
ସେ ନଈ,ରହିଛି ରହିବ ଜନମ ଭୂଇଁରେ
ଜୀବନ ମାତୃକା ହୋଇ..!!
ରେ ନଈ.. !!!