ନିଃଶବ୍ଦ କାକଳି
ନିଃଶବ୍ଦ କାକଳି
ତୁମେମାନେ କେଉଁଠି ଅଛ ?
ଖୋଜୁଛି ତୁମକୁ ମୁଁ
ସ୍ମୃତି ଅଙ୍ଗନରେ
ନିରୁଦ୍ଦିଷ୍ଟ ହୋଇଥିବା
ଜହ୍ନ ଠିକଣା ରେ !!
ଏଠି , ସେଠି, ସବୁଠି ତ
ତୁମମାନଙ୍କର ଲୁଚକାଳି ଖେଳ
ମତେ ହଇରାଣ କରିବାରେ
ପାଇଥାଅ ଅପାର ଆନନ୍ଦ
ମୁଁ ବି କିଛି କମ ନୁହେଁ
ତୁମ୍ଭମାନଙ୍କ ଠାରୁ
ସବୁବେଳେ ଧରି ପକାଏ
ସାଧା କାଗଜରେ
ଅଙ୍କା ବଙ୍କା ଅକ୍ଷର ଚିତ୍ରରେ ।
କେତେ କଷ୍ଟ କରିବାକୁ ପଡେ ମତେ
ତୁମ ମାନଙ୍କୁ ଖୋଜିବା ପାଇଁ
କେବେ ଫୁଲର ମହକରେ
ଝରା ବଉଳର ଆତୁର ଚିଠିରେ,
ପୁଣି କେବେ ପ୍ରଜାପତିର
ଚିତ୍ରିତ ବର୍ଣ୍ଣାଳୀ ରେ------
କେବେ ପକ୍ଷୀ ଶାବକର
ନରମ ଚଞ୍ଚୁରେ .............
ଆଖି ମେଲି ଚାହୁଁଥିବା କଅଁଳ
ସୁରୁଜର ସୁନେଲି ମୁରୁଜରେ
ମୁଁ ତୁମମାନଙ୍କୁ ଖୋଜୁଥାଏ
କାକର ମୁକ୍ତାରେ,
ପଉଷ ଛିଟାରେ -----
ପୁଣି କେବେ ଚିହ୍ନା ଅଚିହ୍ନା ମୁହଁରେ
ମେଘ ଭରା ଥମଥମ ଭାବରେ
ଖୋଜିବସେ ଭସା ବାଦଲର
ଅନାବୃତ୍ତ ତନୁର ଛୁଆଁରେ ।
ଆଖି ଫେରି ଚାହିଁଲେ
ମୁଁ ଆରମ୍ଭ କରିଥିବା ଯାତ୍ରାର ବିନ୍ଦୁରୁ
ଏ ଯାବତ ରହିଥିବା ପାନ୍ଥଶାଳା ଯାଏଁ
ସବୁଠି ତୁମ ମାନଙ୍କର ଆତଯାତ
ଅନିର୍ଦ୍ଦିଷ୍ଟ ଲକ୍ଷ୍ୟରେ
ଆଖି ମିଟିକା ମାରୁଥାଅ
ନୀରିହ ଦୁଷ୍ଟାମୀରେ
ମୋ ଅସହାୟତା ଦେଖି
