କାଖ କଳସି ପାଣି
କାଖ କଳସି ପାଣି
ଏ ତ ଭରା କଳସିର ପାଣି ଲୋ
ଯଉବନ ଉଜାଣି
ଚହଲି ଚହଲି ଛଲକୀ ଯାଉଛି
ଭିଜେଇ ପଣତ କାନି ଲୋ
କାଖ କଳସି ପାଣି।।
ଛଲକି ଛଲକି ଛଳ ଛଳ ଜଳ
ଛିଟିକି ଛିଟିକି ଯାଏ
ଛିଟ ଶାଢ଼ୀ ତୋର ଓଦା ସଡ଼ ସଡ଼
ଦେହେ ତୋ ଅଟକି ରହେ
ନହକା କମର ବହକା ଚାଲି ଲୋ
ନେସି ଯାଏ ଯେତେ ନିଶା
ଅଳସୀ କଳସୀ ମତୁଆଲୀ ହସି
ଚହଲେ କି ଜାଣି ଜାଣି ଲୋ
କାଖ କଳସି ପାଣି।।
କ୍ଷୀଣ କଟୀ ପରେ ବସିଛି ଜବରେ
କଳସି ର ଭାଗ୍ୟ ଦେଖ
ବାହୁ ବନ୍ଧନୀର ଛନ୍ଦେ ଛନ୍ଦି ହୋଇ
ଲିଭାଏ କି କାମ ଭୂଖ
କିଞ୍ଚିତ ଉନ୍ମୁକ୍ତ ଆତୁର ତା ମୁଖ
ବାମ କାମକୁମ୍ଭ ପାଶେ
କ୍ଷଣେ ଛୁଏଁ କ୍ଷଣେ ଅପସରି ଯାଏ
ଜାଳି ଅଜଳା ଅଗନି ଲୋ
କାଖ କଳସି ପାଣି।।
କାଖ ପାଖୁ ପୁଣି ଅମାନିଆଁ ପାଣି
ନିଗିଡ଼ି ଉଦର ଦେଶେ
ଖସି ଖସି ରସି ଅଙ୍ଗେ ରଙ୍ଗ ନେସି
ନାଭି ରନ୍ଧ୍ରେ ଧୀରେ ପସେ
ନିବୀ ବନ୍ଧ ବାସ ଅଳପ ଆକଟେ
ଥମି ଯାଏ ଜାଣି ଜାଣି ଲୋ,
କାଖ କଳସି ପାଣି।।
ଜ୍ୱଳନ୍ତ ଅନଳେ ସଲ୍ଲୀଳ ସିଞ୍ଚିଲେ
ଦହନ ହୁଅଇ ଶେଷ,
ଏ କେଉଁ ଦହନ ଦହେ ଘନ ଘନ
ଅପଘନେ ଭରେ ବିଷ।
କହ ମଦାଳସୀ ତୋ କାଖ କଳସୀ
କି କରିଥିଲା କି କାଳେ
ଲଭି ଅଙ୍ଗ ସଙ୍ଗ ଅନଙ୍ଗ ଠୁଁ ଆଗ
ବୋଲାଏ ରସିକ ମଣି ଲୋ
କାଖ କଳସି ପାଣି।।
