STORYMIRROR

SARATA KUMAR DAS

Fantasy Others Romance

3  

SARATA KUMAR DAS

Fantasy Others Romance

ଭିଜା ଭିଜା ସ୍ମୃତି

ଭିଜା ଭିଜା ସ୍ମୃତି

1 min
27.6K


କେହି ମୋତେ ଚିହ୍ନୁ କି ନ ଚିହ୍ନୁ

କେହି ମୋତେ ଜାଣୁ ବା ନଜାଣୁ

ତୁମେ ତ ମୋତେ ଠିକ୍ ଜାଣିଛ

ଠିକ ଚିହ୍ନିଛ ମୋ ବିଜନତାକୁ

ତୁମ ସହ ନୀବିଡତା

ପୁରୁଣା କି ନୂଆ

ତୁମର ମନ ଅଛି କି ନାହିଁ

ମୁଁ କହିପାରିବି ନାହିଁ ,

କିନ୍ତୁ ସ୍ପଷ୍ଟ ମୋର ମନେ ଅଛି ଆଜି

ତୁମର ଠିକଣା,ତୁମ ଲାଜ ଲାଜ ମୁହଁ

ଆହୁରି ବି ମନେ ଅଛି ତୁମ ଗାଁ ଦାଣ୍ଡ

କିଆ-କେତକୀର ମହମହ ବାସ

ତୁମ ବାଡିରେ ଥିବା ବରକୋଳି ଗଛ

ତୁମ ଗାଁ ନଈର ଗଭୀରତା ଓ ଢଳଢଳ

କାଚକେନ୍ଦୁ ପାଣି ।।


ଠିକ୍ ମନେ ଅଛି ମୋର

ତୁମ ଗାଁ ଆରପଟ ପାହାଡଟା

କେମିତି ଆଖି ମିଟି ମିଟି କରି ଚାହଁ ରହିଥାଏ

ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲ ଟହ ଟହ ମୁହଁଟା

ଝଙ୍କାଳିଆ ବରଗଛ ଓହଳ ମଝିରେ କେମିତି

ଲୁଚକାଳି ଖେଳୁଥାଏ ବାରମ୍ବାର।।


ତୁମ ଗାଁ ମଶାଣୀଟା ଡରଲାଗେ ବୋଲି

କେତେଥର ଢାଙ୍କିଛ ମୋ ଡରୁଆ ମୁହଁକୁ

ତୁମ ଲମ୍ବା ପଣତ କାନିରେ ,

କେତେଥର ଆସିଛ ପାଦ ଚାପି ଚାପି

ମୋ ପାଖକୁ ଏକା ଏକା ନିରୋଳାରେ

କେତେ ନୀରବ ନିଥର ରାତିରେ

କାଳେ କିଏ ଶୁଣିଦେବେ ବୋଲି

ତୁମ ପାଦ ପାଉଁଜିର ଋଣୁଝୁଣୁ ଶବ୍ଦକୁ ।।


ଆହୁରି ମନେ ଅଛି ମୋର

ସେଦିନ ଶୀତୁଆ ସଂଜର ଥଣ୍ଡା ଥଣ୍ଡା ପବନ

ଝାପସା ଝାପସା ଅନ୍ଧକାର

ନିର୍ମଳ ଆକାଶକୁ ଚାହିଁ ତାରା ଗଣୁଥିଲ

ଶବ୍ଦଗୁଡିକ ମେଲି ହୋଇଯାଉଥିଲା ଛାଏଁ ଛାଏଁ

କବିତାର ମଖମଲି ଛନ୍ଦରେ ।।


ମୋର ସବୁ ଅଝଟ ପଣକୁ ସହିଯାଉଥିଲ

ନୀରବରେ ଆଖ୍ ବୁଜି

ପ୍ରତିବାଦ ବି କରିନଥିଲ କେବେ

ନିସର୍ତ୍ତ ଆଜାଡି ଦେଇଥିଲ ସବୁତକ ଭଲପାଇବା ଓ

କୋମଳ ଦରଦି ହୃଦୟ ତୁମର

କାହିଁକି ନା ମୋ ଠାରୁ ଅଧିକ ଭଲପାଉଥିଲ ତୁମେ

ଏପରିକି ନିଜ ଜୀବନ ଠାରୁ ଆହୁରି ଅଧିକ ।।

ଶରତ କୁମାର ଦାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy