ନିଃସ୍ଵାର୍ଥପରା ସାବିତ୍ରୀ
ନିଃସ୍ଵାର୍ଥପରା ସାବିତ୍ରୀ
ଆମ ସଂସ୍କୃତିରେ ଆର୍ଯ୍ୟ ନାରୀ ଗାଥା
ସାରା ବିଶ୍ଵରେ ବିଦିତ
ତା ମହନୀୟତା ନିଃସ୍ଵାର୍ଥପରତା
ତାକୁ ଦେଇଛି ମହତ୍ତ୍ଵ ।
ତ୍ୟାଗଶୀଳା ସିଏ ସହନଶୀଳା ସେ
ଜ୍ଞାନ ଗାରିମାରେ ଭରା
ସହ ଗାମିନୀ ଯେ ସେବା ଦାୟିନୀ ସେ
ଜୀବନର ନୀତି ଧାରା ।
ଆର୍ଯ୍ୟ ନାରୀ ଥିଲେ ଅଶ୍ଵପତି କନ୍ୟା
ତପ ଫଳେ ସିଏ ଜାତ
ଅନିନ୍ଦ୍ୟ ସୁନ୍ଦରୀ ଅତି ସୁକୁମାରୀ
ପ୍ରୀତି ନନ୍ଦା ସୁଚିବନ୍ତ ।
ବନ ଭ୍ରମଣରେ ଶାଲ୍ୱ ରାଜପୁତ୍ର
ସତ୍ୟବାନ ସନ୍ଦର୍ଶନେ
ମନେ ମନେ ବର ଭାବେ ବରି ନେଲେ
ସତ୍ୟବାନଙ୍କୁ ଯେ କ୍ଷଣେ ।
ଶାଶ୍ଵତ ପ୍ରେମରେ ନୀତି ଆଦର୍ଶରେ
ପିତାଙ୍କୁ ସ୍ପଷ୍ଟ କହିଲେ
ନାରଦଙ୍କ ଠାରୁ ଅଳ୍ପାୟୁଷ ଜାଣି
ପଛଘୁଞ୍ଚା ସେ ନଦେଲେ ।
ରାଜନବରର ସ୍ଵାର୍ଥ ତ୍ୟାଗ କଲେ
ତ୍ୟାଗ କଲେ ରାଜ ଭୋଗ
ନିଃସ୍ଵାର୍ଥପରା ସେ ଆଦର୍ଶ ମଣ୍ଡିତା
ଭରିଲେ ନିଜ ସୁହାଗ ।
ନିଃସ୍ଵାର୍ଥପରା ଯେ ସତୀ ଶିରୋମଣି
ସବୁ କିଛି ତ୍ୟାଗ କଲେ
ରାଜମହଲ ର ଭୋଗ ତ୍ୟାଗ କରି
ବନସ୍ତରେ ଯେ ରହିଲେ ।
ନିଃସ୍ଵାର୍ଥପରା ସେ ଅଲିଅଳୀ ଜେମା
ସାବିତ୍ରୀ ରାଜ ଦୁଲାରୀ
ନିଜ ସ୍ୱାର୍ଥ ଭୁଲି ବନସ୍ତେ ରହିଲେ
ପତି ପଦ ଅନୁସରୀ ।
ଆର୍ଯ୍ୟ ନାରୀ ସିଏ ଶାଶ୍ଵତ ପ୍ରେମର
ପୂଜାରିଣୀ ପରା ଥିଲେ
ନିଃସ୍ଵାର୍ଥପରା ସେ ନିଜ ସୁଖ ଭୂଲି
ଶାଶୁ ଶ୍ୱଶୁର ସେବିଲେ ।
ନିଃସ୍ଵାର୍ଥପରା ସେ ପତି ପ୍ରାଣ ପାଇଁ
ନିଜ ଚିନ୍ତା ନ କରିଲେ
ଭୟ ଭ୍ରାନ୍ତି ଛାଡ଼ି ନିଜ କଥା ଭୁଲି
ଯମଙ୍କ ପଛେ ଧାଇଁଲେ ।
ସତୀଙ୍କର ଧୈର୍ଯ୍ୟ ଗୁଣର ଗାରିମା
ସୂର୍ଯ୍ୟ ପୁତ୍ରେ ମୋହି ନେଲେ
ସତୀ ସାବିତ୍ରୀ ଯେ ପତିଙ୍କ ପ୍ରାଣକୁ
ଯମଙ୍କ ଠାରୁ ଆଣିଲେ ।
ଦୃଢମନା ସିଏ ଲକ୍ଷ୍ୟ ପୂର୍ଣ୍ଣ। ସତୀ
ନାରୀ ଶ୍ରେଷ୍ଠା ପୁଣ୍ୟପ୍ରାଣା
ନିଜ କଥା ଛାଡ଼ି ଆଦର୍ଶକୁ ଧରି
ଦୁଇ କୂଳ କଲେ ତ୍ରାଣା ।
ନିଃସ୍ଵାର୍ଥପରା ସେ ନାରୀ ଶିରୋମଣି
ନାରୀ ଜାତିର ଗାରିମା
ନାରୀଙ୍କ ପାଇଁ ସେ ଆଦର୍ଶ ଅଟନ୍ତି
ଆର୍ଯ୍ୟବଧୂ ବନ୍ଦନୀୟା ।
