ନିବେଦନ
ନିବେଦନ
ହେ ମୋର ପ୍ରିୟ ଭାରତୀୟ
ଦେଶ ହିତରେ ମନ ଦିଅ ।
ଅଳସ ପଣ ମନୁ ତେଜ
ସକଳେ କର୍ମବୀର ସାଜ ।
ଅଳସ ଅସାଧ୍ୟ ଯେ ମଣେ
କର୍ମମଭୀରୁ ସେ ଅଟେ ଜଣେ ।
ଅଳସ ପଣ ପରିହର
ହୁଅ ରେ ସର୍ବେ କର୍ମବୀର ।
ରଖିଣ ଅଦମ୍ୟ ସାହସ
ଅଳସ ପଣ କର ବଶ ।
ଲୋଡିବା ଦେଶର କଲ୍ୟାଣ
କରିବା ଦେଶର କଲ୍ୟାଣ ।
ଦେଶ ମାତୃକାର କଲ୍ୟାଣ
ମଣିବା ଜୀବନକୁ ତୃଣ ।
ଦେଶର ସୁରକ୍ଷା ନିମିତ୍ତ
ହୁଅ ହେ ସର୍ବେ ଏକଚିତ୍ତ ।
ଦେଶର ହିତ ନିଜ ହିତ
ଭାବିବା ହୋଇ ଏକଚିତ୍ତ ।
ଉଦ୍ୟୋଗ ଗଢି ଦେଶ ଲାଗି
ସକଳେ ହୋଇବା ଉଦ୍ୟୋଗୀ ।
ଛାତିରେ ଅଦମ୍ୟ ସାହସ
ସଫଳ ହେବାର ରହସ୍ୟ ।
ସାହସ ସହକାରେ କାର୍ଯ୍ଯ
କଲେ ସଫଳ ସର୍ବ କାର୍ଯ୍ଯ ।
ସକଳ ମନ ଏକମନ
ସ୍ବାର୍ଥକୁ କରିବା ଦମନ ।
ଜାତୀୟ ଏକତାର ନୀତି
ରଖିଣ ଆଣିବା ସଂହତି ।
ଜାତୀୟ ସଂହତିର ବଳେ
ଅସାଧ୍ୟ ସାଧ୍ୟ ହୁଏ ଭଲେ ।
ଦେଶର ସ୍ବାର୍ଥେ ନିଜ ସ୍ବାର୍ଥ
ତୁଛ ମଣିବା ଆତ୍ମ ସ୍ବାର୍ଥ ।
ଦେଶ ଦ୍ରୋହୀ ଓ ସ୍ବାର୍ଥ ରଙ୍କ
ଅଟଇ ବିଶ୍ବର କଳଙ୍କ ।
ବିଶ୍ବ ଭ୍ରାତୃତ୍ବ ବିଶ୍ବ ପ୍ରେମ
ବିଶ୍ବବାସୀ କୁଟୁମ୍ବ ସମ ।
ସର୍ବ ମଣିଷ ଯେ ସମାନ
ସର୍ବ ହୃଦୟେ ହେଉ ଜ୍ଞାନ ।
କଳା ଗୋରା ବା ଉଚ୍ଚ ନୀଚ୍ଚ
ଭାବନା ରଖେ ମନେ ନୀଚ୍ଚ ।
ହୋଇବା ସର୍ବେ ଏକ ମନ
ହୋଇବା ସର୍ବେ ଏକ ପ୍ରାଣ ।
ହିଂସା ଦ୍ବେଷ ମନରୁ ତେଜ
ପ୍ରୀତିରେ ବାନ୍ଧ ସର୍ବେ ଆଜ ।
ପରର ମନେ ଦୁଃଖ ଦେଖି
ଲୋତକ ଝରୁ ସର୍ବ ଆଖି ।
ପ୍ରକୃତି ଓ ପର୍ଯ୍ଯାବରଣ
ସୁରକ୍ଷା ଲାଗି ଦେବା ଧ୍ୟାନ ।
ସ୍ବଚ୍ଛ ରହିଲେ ପର୍ଯ୍ଯା ବରଣ
ନିରାମୟ ହେବ ଜୀବନ ।
ସକଳ ପ୍ରାଣୀ ସ୍ବାଧିନତା
ବଞ୍ଚାଇ ରଖେ ଜୀବସତ୍ତା ।
ଧରଣୀ ଆମର ଜନନୀ
ଯାହା ସନ୍ତାନ ସର୍ବ ପ୍ରାଣୀ ।
ସକଳ ଜୀବେ କର ଦୟା
ତେଜିଣ ସବୁ ମୋହ ମାୟା ।
ଦୁର୍ନୀତି ଭ୍ରଷ୍ଟାଚାରମାନ
ପ୍ରଗତି ବାଧକ ବୁଝିଣ ।
ହୋଇବା ସର୍ବେ ଏକପ୍ରାଣ
ଦୁର୍ନୀତି କରି ନିବାରଣ ।
ସକଳେ ହୋଇଣ ସ୍ବାଧୀନ
ଯେସନେ କରେ ବିଚରଣ ।
କରିବା ନିଶ୍ଚିତ ବିଶ୍ବରେ
ସହାବସ୍ଥାନ ପ୍ରଶାନ୍ତିରେ ।
ବସୁଧୈବ କୁଟୁମ୍ବକମ୍
ଭାବନା କରିବାନି କମ୍ ।
ସ୍ବାର୍ଥକୁ ଦେବାରେ ଆହୂତି
ମନେ ରଖିବା ବିଶ୍ବ ପ୍ରୀତି ।
ବିଶ୍ବର କଲ୍ୟାଣ ନିମିତ୍ତ
ହୋଇବା ସର୍ବେ ଏକ ଚିତ୍ତ ।
ହସିବ ଏ ସାରା ଜଗତ
ସକଳ ସୁଖେ ଆତଯାତ ।