STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Abstract

3  

ପ୍ରିୟଦର୍ଶିନୀ ମହାନ୍ତି

Abstract

ନିଆରା ନାଟକ

ନିଆରା ନାଟକ

1 min
303


ଲାଇଟ୍, କ୍ୟାମେରା, ଆକ୍ସନ୍...


ମୁଁ କଣ୍ଢେଇ,

ଏବେ ମୁଁ ମଞ୍ଚସ୍ଥ,

ମଞ୍ଚରେ ଆଲୋକର ବର୍ଣ୍ଣାଳି,

ଉପସ୍ଥାପିତ କରିବି 

ମୋ ପାଇଁ ଲେଖାଯାଇଥିବା ସଂଳାପ,

ମୁଁ ଆସିଛି ଅଭିନୟ ପାଇଁ,

ଅଭିନୟ ନ କରି ପନ୍ଥା ବି ନାହିଁ,

ଜାଣିନି ଠିକ୍ ହେବ କି ଭୂଲ।


ନିଶ୍ଚିତ ଭାବେ ଠିକ୍ ହିଁ ହେବ,

ଯେହେତୁ ନିର୍ଦ୍ଦେଶକଙ୍କ ପୂର୍ବ ପ୍ରସ୍ତୁତି,

ଦର୍ଶକଙ୍କ ନଜରରେ ମୁଁ ଭୂଲ ହୋଇପାରେ,

କିନ୍ତୁ ନିର୍ଦ୍ଦେଶକଙ୍କ ଅନୁସାରେ ମୁଁ ଶତ ପ୍ରତିଶତ ସଠିକ୍।

କାରଣ ନାଟକର ସମସ୍ତ ଭାଗ ତାଙ୍କ ଦ୍ବାରା ଲିଖିତ,

ମୁଁ ନିମିତ୍ତ ମାତ୍ର,


ହାତ ଗୋଡ଼ ଚାରୋଟିରେ

ଅଦୃଶ୍ୟ ଡୋର ଲାଗିଛି,

ନିର୍ଦ୍ଦେଶକଙ୍କ ଇଙ୍ଗିତରେ

ଅଙ୍ଗ ଚାଳନା ତଥା କଥା କହିବି,

ଏମିତି ଭାଗ ପରେ ଭାଗ ଅଭିନୟ କରୁଥିବି,

ଦିନୁ ଦିନ ଭାଗଗୁଡିକର 

ସଂଳାପ କ୍ରମଶଃ ଜଟିଳତର ହେବ,

ମୋ ସପକ୍ଷରେ ଓ ବିପକ୍ଷରେ 

ଚରିତ୍ରମାନେ ମଞ୍ଚରେ ଯୋଗ ଦେବେ।


ଦିବସ, ରଜନୀ ଅବିରତ ଅଭିନୟ,

ମଝିରେ ବିରାମ ନାହିଁ,

ମଝିରେ ବିରାମ ନେଲେ 

ସେଇଠି ହିଁ ଅଭିନୟ ସମାପ୍ତ କରିବାକୁ ପଡିବ,

କ୍ରମେ କ୍ରମେ ଶରୀର ଅବଶ, ଦୁର୍ବଳ, କ୍ଷୀଣ ହୋଇଯିବ,

ଆଉ ଅଭିନୟ ପାଇଁ ଶକ୍ତି ସାମର୍ଥ୍ୟ ନଥିବ,

ନିର୍ଦ୍ଦେଶକ ମଧ୍ୟ ମତେ ଚିର ବିଶ୍ରାମର ଡାକରା ଦେବେ।

ଆଉ କେତେ ବା ଅଭିନୟ କରିବି,


ମୁଁ ମଧ୍ୟ ଶୋଇଯିବି,

ଶେଷ ଭାଗର ଶେଷ ସଂଳାପ କହି।

ଶେଷରେ ଆଲୁଅ ଲିଭିଯିବ,

ରଙ୍ଗମଞ୍ଚ ଅନ୍ଧାର।

ନିଆରା ନାଟକର ଯବନିକା ପଡିବ,

ଜାଣେ ନାହିଁ ପୁଣି କେବେ ନିର୍ଦ୍ଦେଶକଙ୍କ ନାଟକ ପାଇଁ ଯୋଗ୍ୟ ବିବେଚିତ ହେବି କି ନାହିଁ,

ଯଦି ହେବି ସେଇ ସମାନ ଚରିତ୍ର କି ଅନ୍ୟ କିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract