ନେଇ ଯାଆରେ ମେଘ
ନେଇ ଯାଆରେ ମେଘ
ନେଇ ଯାଆରେ ମେଘ ପ୍ରେମ ପତ୍ର ଖଣ୍ଡେ
ପ୍ରିୟ ମୋ ଅଛନ୍ତି ଦୂରେ
ଅନେକ ଦିବସ ଗଲେ ପରବାସ
ମନ ମୋ ଆକୁଳେ ମରେ ।
ଯୁବତୀ ସୁୁୁଲ୍ଲଭ ଭରା ଯଉବନ
ଏ ବେଳେ ବିଛେଦ ହୋଇ
କାନ୍ତ ସ୍ମୃତି ସ୍ମରି ପ୍ରାଣ ହୁଏ ଘାରି
ବିଳପନେ ଯାଏ ଶୋଇ ।
ସୌନ୍ଦର୍ଯ୍ୟର ତୁହି ଅଟୁ ଗନ୍ତାଘର
ହୃଦୟେ କରୁଣା ଭରା
ଶିତଳ ବର୍ଷଣେ ଶାନ୍ତ କରି ଥାଉ
ମେଦିନୀ ପ୍ରକୃତି ପରା ।
ଅଗାଧ ଭରସା ତୋ ଠାରେ ରଖିଛି
ଆଶା ପତରକୁ ପାରି
ପୀରତି ନିିର୍ଝରେ ପ୍ରିୟ ନାଚୁ ଥିବେ
ମୋ ପ୍ରେମକୁ ମନେ କରି ।
ଆକାଶର ତଳେ ଭାସୁ ଥିବୁ ତୁହି
ସାଥେ ସୁଗନ୍ଧିତ ଚିଠି
ଉଙ୍କି ମାରୁ ଥିବ ବିଦ୍ୟୁତ ଚପଳା
ଈର୍ଷାନ୍ୱିତ ମନେ ଉଠି ।
ଉତ୍କଣ୍ଠିତ ମନେ ଲୟ ରଖିଛି ମୁଁ
ତୋ ଗତିରେ ମୋର ମତି
ଖେଦ ହ୍ରଦେ ମୋତେ ବୁଡାଇ ନଦେବୁ
ମିନତି କରେ ତୋ କତି ।
ଇନ୍ଦ୍ରର ବାହକ ପୋଛି ଦେଉ ଶୋକ
ଢାଳି ତୋର କୃୃୃପା ବାରି
କାତର ନୟନେ ଅପେକ୍ଷା କରିଛି
ବାର୍ତ୍ତାକୁ କରିବୁ ପାରି ।
ଆରେ ନବଘନ ନହୁଅ ବିଷର୍ଣ୍ଣ
ଜୀମୂତ ବାହନ ପରା
କୋଟି କୋଟି ପ୍ରାଣେ ଅମୃତ ବରଷି
ସାଜିଛୁ କାଞ୍ଚନ ହୀରା ।
ଅତି ଜରୁରୀ ଏ ସମାଚାର ପତ୍ର
ନକରିବୁ ଅବହେଳା
ଲହୁ ଲୁହ ଏଠି କଷଣ ଦେଉଛି
ଦୁଃଖ ମୋ ଗଳାର ମାଳା ।
ଉଚ୍ଚ ପରବତେ ଅଟକି ଯିବୁନି
ସମୟ ଯିବରେ ଗଡି
ଅଭିଳାଷ ମୋର ଅପୂୂର୍ଣ୍ଣ ରହିବ
ଅନ୍ତର ଛାଡ଼େରେ ରଡି ।
ଶୁନ୍ୟ ଆକାଶରେ ଝୁୁୁଲେ ନିିିତି ମନ
ଦୁଃଖ ମୋ ଦରିଆ ପାଣି
ତୋତେ ଆଶା କରି ପତ୍ରକୁ ଲେଖିଲି
ପଢିବେ ମୋ କାନ୍ତ ମଣି ।

