ନଦୀ
ନଦୀ
ମହୀଧର କନ୍ୟା ତୁମେ ଗୋ ଅନନ୍ୟା
କେହି ନୁହଁ ତୁମ ସରି
ତୁମରି ସ୍ପର୍ଶ ରେ ତୃଷାତୁର ପ୍ରାଣ
ତୃପ୍ତି ରେ ଯାଏ ଭରି
ମାନବ ସଭ୍ୟତା ଗଢିଉଠି ଥିଲା
ପ୍ରଥମେ ତୁମରି କୋଳେ
ଅବାରିତ ଗତି କୁଳୁକୁଳୁ ନାଦ
ସଙ୍ଗୀତ ମୂର୍ଚ୍ଛନା ତୋଳେ
ଶୋଭାମୟୀ ତୁମେ ବିଧାତା ଙ୍କ ସୃଷ୍ଟି
ଅମୃତଦାୟୀ କଲ୍ୟାଣୀ
ପ୍ରାଣୀ ଜନ ମନ କର ଅଭିଭୂତ
ହୃଦୟ କୁ ନିଅ ଟାଣି
ଶୁଷ୍କ ତୃଣ ଯେ ହସି ଉଠି ପାରେ
ସୁନ୍ଦର ଶ୍ୟାମଳ ଅଙ୍ଗେ
ନିଷ୍ପ୍ରାଣ ବନାନୀ ସରସ ହରଷ
ହୁଏ ତୁମ ପ୍ରେମ ରଙ୍ଗେ
ପ୍ରିୟମାଣା ତୁମେ ପାରାବାର ପ୍ରିୟା
ସର୍ବଦା ଚଳ ଚଞ୍ଚଳ
କେତେ ଗିରି ବନ ବନ୍ଧୁର କୁ ଭେଦି
ସାଗରେ ହୁଅ ବିଲୀନ
ଧରଣୀ ବାସୀ ଙ୍କ ପାଇଁ ମାତୃ ରୂପା
ପୀୟୂଷ ତୁମ ସଲିଳ
ତୁମ ଅଭିମାନେ ହାଅନ୍ନ ଚିତ୍କାର
ଶୁଭେ ମରୁଡି କରାଳ
ତଟିନୀ ସରିତ ନିମ୍ନଗା ଏମିତି
କେତେ ଯେ ନାମ ତୁମର
ଗଙ୍ଗା ଗୋଦାବରୀ ଯମୁନା ରୂପ ରେ
ପୂଣ୍ୟ ବାଣ୍ଟ ଯେ ଅପାର
ବାଣିଜ୍ୟ ର ତରୀ ମେଲାଇ ସାଧବ
ଯାଉଥିଲେ ଦୂର ଦେଶେ
ଧନରତ୍ନ ଧରି ଫେରି ଆସୁ ଥିଲେ
ସାଧବାଣୀ ଙ୍କର ପାଶେ
ଆମରି ସଂସ୍କୃତି ଆମ ପରମ୍ପରା
ଆମରି ଗୌରବ ଗାଥା
ଯମୁନା କୂଳ ରେ ରାଧା କୃଷ୍ଣ ପ୍ରେମ
ମରମ ବେଦନା ବ୍ୟଥା
କେବେ ସୁଶୀତଳ ସିକ୍ତ ଶାନ୍ତ ରୂପ
ଶୋଭା ପୁଣି କମନୀୟ
କେବେ ଭୟଙ୍କରୀ ଉଗ୍ର ରୂପ ଧରି
ଲୀଳା ରଚ ଦମନୀୟ ।
