STORYMIRROR

Satchidananda Bastia

Classics

4  

Satchidananda Bastia

Classics

ନଦୀ ଝୁରିବ ସାଗର

ନଦୀ ଝୁରିବ ସାଗର

1 min
78

ବିମୁଗ୍ଧ ଜହ୍ନକୁ ଯଦି ଚାହିଁବାକୁ,

କୁମୁଦିନୀ କରେ ମନା।

ସାଗର ଭାବକୁ ଯଦି ବା ତଟିନୀ,

ଅନ୍ୟଥା କରିବ ଘେନା।

ଫୁଲ ଫୁଟି ଯଦି ମନ ମାରିଦେବ,

ନଥିବ ତା ଓଠେ ହସ।

ଅସହନଶୀଳ ହୋଇଣ ଅନିଳ,

ଯଦି ନବାଣ୍ଟେ ତା ବାସ।

ତରୁଲତା ଯଦି ଆତ୍ମ ଅଭିମାନେ,

ମାଟିକୁ ଯାଆନ୍ତି ଭୁଲି।

ପାଷାଣ ସ୍ନେହକୁ ଯଦି ନିର୍ଝରିଣୀ,

ଭାବେ ଦୁର୍ବଳତା ବୋଲି।

ଚାରୁ ପଙ୍କଜିନୀ ଯଦି ଅହଙ୍କାରେ, 

ସୂରୁଜେ କରିବ ଖେଦ।

ସ୍ବପ୍ନ ଯଦି କେବେ ବିଭାବରୀ ନାମେ,

ବୋଳିଦେବ ଅପବାଦ।

ସରଗ ସରାଗ ଯଦି ଧରଣୀକୁ,

ଲାଗିବ ବା ନିରର୍ଥକ। 

ତରଙ୍ଗିଣୀ ଯଦି ପ୍ରଶାନ୍ତ ବେଳାକୁ, 

ଭାବିନେବ ପ୍ରବଞ୍ଚକ। 

ରୁଷିଯିବ ଯଦି ଆକାଶ ନୀଳିମା,

ମାଖିବନି ଆଉ ରଙ୍ଗ।

ଶୁଭିବନି ଯଦି ବସନ୍ତ ଆଗମେ,

କୋକିଳ ର ମିଠା ରାଗ।

ଶ୍ରାବଣ ପ୍ରତୀକ୍ଷା ଶ୍ରାବଣୀକୁ ଯଦି,

ନକରିବ ଆକର୍ଷଣ। 

ମୋହନ ବଂଶୀରେ ଗୁଞ୍ଜିବନି ଯଦି,

ଶ୍ରୀରାଧା ନାମ ନିକ୍ବଣ। 

ସୂର୍ଯ୍ୟ ନଥିଲେ କି ହସନ୍ତା ଚନ୍ଦ୍ରମା,

ଫୁଟନ୍ତା କି କେବେ ଫୁଲ। 

ସବୁ ଜାଣିଶୁଣି ଭାବନ୍ତି ଯଦି ସେ,

ସୂରୁଜ ର ନାହିଁ ମୂଲ।

ମନେ ଅହମିକା ବରିଣ ପ୍ରକୃତି,

ଯଦି ନିନ୍ଦଇ ପୁରୁଷ। 

ଏକଥା ନିରେଖି କବି ହୃଦୟରେ,

ଭରିଯାଏ ମହାତ୍ରାସ। 

କବି ହେଉ ନାରୀ ଅଥବା ପୁରୁଷ, 

ପ୍ରେମସିକ୍ତ ତା ହୃଦୟ।

ଘୃଣା ଅସୂୟା ର ସ୍ଥାନ ନାହିଁ ତହିଁ,

ଦୃଷ୍ଟି ତାର ମଧୁମୟ।

ବିଧି ର ବିଧାନେ ପ୍ରକୃତି ପୁରୁଷ, 

ଅଟନ୍ତି ପରିପୂରକ। 

ଶକ୍ତି ନାହିଁ କା'ର ଲଗାଇବ କିଏ, 

ସମ୍ପର୍କେ ପ୍ରତିବନ୍ଧକ। 

ପୁରୁଷ ଆଙ୍କିବ ନାରୀ ପ୍ରତିଛବି,

ନାରୀ ମଧ୍ଯ ପୁରୁଷର।

ସାଗର ଝୁରିବ ନଦୀର ପୀରତି,

ନଦୀ ଝୁରିବ ସାଗର। 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics