ଵନ୍ଧୁ ତୁମ ବନ୍ଧୁ ମହାନ୍ତି
ଵନ୍ଧୁ ତୁମ ବନ୍ଧୁ ମହାନ୍ତି
ଭକତ ଭାବରେ ବନ୍ଧା ଜଗବନ୍ଧୁ
ଭକତ ଙ୍କ ଗଣ୍ଠି ଧନ
ଭକତ ଖୋଜିଲେ ସେ ପରା ଖୋଜଇ
ଭକତର ରଖେ ମାନ ।
ଭକତ ଆଖିରୁ ଲୁହ ଝରି ଗଲେ
ତା ଆଖି ଜକେଇ ଆସେ
ଭକତ ହସରେ ହୃଦ ଦ୍ରବୀଭୂତ
ଓଠ ଧାରେ ହସ ଦିଶେ ।
କିଏ କହେ ସଖା କିଏ କହେ ବନ୍ଧୁ
କିଏ ପିତା କହୁଥାଏ
ଭାବରେ ଭାବରେ କିଏ ପୁତ୍ର ବୋଲି
କୋଳେ ନେଇ ସୁଖ ପାଏ ।
ଯାଜପୁର ବାସୀ ବନ୍ଧୁ ମହାନ୍ତି ସେ
ଭାବର ବଣିକ ଟିଏ
ଦରିଦ୍ରତା ମଧ୍ୟେ କାଳ କାଟୁ ଥାଏ
ଜଗା ତାର ବନ୍ଧୁ କହେ ।
ପତ୍ନୀ ପତିବ୍ରତା ସର୍ବଦା କୁହଇ
ବନ୍ଧୁ ବନ୍ଧୁ କହୁଅଛ
ଧନୀ ମାନୀ ବୋଲି କହୁଅଛ ଖାଲି
କାହିଁ ପାଶେ ନ ଯାଉଛ ?
ଭାବରେ ଭାବରେ କୁହନ୍ତି ଯେ ବନ୍ଧୁ
ବନ୍ଧୁ ମୋ ଶିରୀ କ୍ଷେତ୍ରରେ
ଭାବରେ ସେ ବନ୍ଧା ଭକ୍ତିରେ ସେ ଛନ୍ଦା
ସିଏ ଭକ୍ତ ହୃଦୟରେ ।
ଘରେ ଚାରି ପ୍ରାଣୀ କୁଟୁମ୍ବଙ୍କୁ ନେଇ
ବହୁ କଷଣ ସହିଲେ
ଶେଷେ ପତ୍ନୀ ଙ୍କର ମଧୁର କଥାରେ
ବନ୍ଧୁ ସାକ୍ଷାତରେ ଗଲେ ।
ବନ୍ଧୁରେ ବନ୍ଧୁ ସେ ବିଶ୍ଵାସରେ ବନ୍ଧା
ବଡ଼ ଦେଉଳିଆ ବନ୍ଧୁ
ଭକତ ଭାବରେ ବାନ୍ଧି ହୋଇ ଯାନ୍ତି
ସେ ପରା କରୁଣା ସିନ୍ଧୁ ।
ଚାରି ଦିନ ପଥ ଚାଲି ଚାଲି ବନ୍ଧୁ
ପହଞ୍ଚି ବଡ଼ ଦେଉଳେ
ଦେଖିଲେ ପହଡ଼ ପଡ଼ି ଯାଇ ଅଛି
ହେଲେ ନିରାଶ ନଥିଲେ ।
ସପରିବାର ଯେ ପେଜ ନଳା ପେଜ
ଖାଇ ପେଟ ଭରି ଦେଲେ
ଥକ୍କା ମାରି ସେଇ ପେଜ ନଳା ପାଖେ
ବିଶ୍ରାମ ଟିକିଏ ନେଲେ ।
ଭକ୍ତ ଭାବ ବୁଝି ଭାବଗ୍ରାହୀ ପୁଣି
ବ୍ରାହ୍ମଣ ବେଶେ ଆସିଲେ
ଯାଜପୁର ବନ୍ଧୁ ନ ଖାଇ ଶୁଅନି
ବୋଲି ଡାକ ଦେଇ ଦେଲେ ।
ଭକତ ଭିଜିଲେ ଅମୃତ ଡାକରେ
ଯେବେ ଅନାଇ ଦେଖିଲେ
ଖାଦ୍ୟ ଥାଳୀ ହାତେ ବ୍ରାହ୍ମଣଙ୍କୁ ଦେଖି
ଚକିତେ ଚାହିଁ ରହିଲେ ।
କର୍ପୂର ଚନ୍ଦନ ବାସେ ଭରିଗଲା
ତାଙ୍କର ବସିବା ସ୍ଥଳ
ଅନ୍ନ ବ୍ୟଞ୍ଜନରେ ଆପ୍ୟାୟିତ ହେଲେ
ବନ୍ଧୁ ମହାନ୍ତି ତତ୍କାଳ ।
ଖାଇ ସାରି ଥାଳୀ ଦେବାକୁ ଯାଆନ୍ତେ
ପ୍ରଭୁ ଅନ୍ତର୍ଦ୍ଧାନ ହେଲେ
ପ୍ରଭାତରେ ଥାଳୀ ଦେଇ ଦେବେ ଭାବି
ସେହିଠାରେ ଶୋଇଗଲେ ।
ପ୍ରଭାତ ହୋଇଲା ସେଵକ ଆସିଲେ
ଖୋଜା ପଡ଼େ ସୁନା ଥାଳୀ
ବନ୍ଧୁ ମହାନ୍ତିଙ୍କ ଠୁ ଥାଳୀ ପାଇ ସର୍ବେ
ଚୋର କହି ଦେଲେ ଗାଳି ।
ମାଡ ଗାଳି ଦେଇ ବନ୍ଦୀ କରି ନେଲେ
ଚୋରର ଆଖ୍ୟାଟି ଦେଇ
ଭକ୍ତ ବନ୍ଧୁ ଭାବେ ବିଭୋର ଥିଲେ ଯେ
କାରଣ ବୁଝିଲେ ନାଇଁ ।
ଭକତ ଦୁଃଖରେ ବ୍ୟଥିତ ଠାକୁର
ରାଜନେ ସ୍ଵପ୍ନେ କହିଲେ
ମୋ ପରମ ବନ୍ଧୁ ଚୋର ନୁହେଁ ସିଏ
ମୁକ୍ତିର ଆଦେଶ ଦେଲେ ।
ବଡ଼ ବନ୍ଧୁ ଭାବେ ପ୍ରତିଷ୍ଠିତ ହେଲେ
ଭକତ ବନ୍ଧୁ ମହାନ୍ତି
ଭକତ ଭାବରେ ବନ୍ଧା ପରା ପ୍ରଭୁ
ଭକ୍ତ ଦୁଃଖ ହରୁ ଥାନ୍ତି ।
ଭକତ ଭାବରେ ବନ୍ଧା ଜଗବନ୍ଧୁ
ସିଏ ପରା ମହାସିନ୍ଧୁ
ସେ ସିନ୍ଧୁରେ ଆମେ ଛୋଟ ଲହରୀ ଯେ
ସିଏ ଆମ ଲକ୍ଷ୍ୟ ବିନ୍ଦୁ ।
ବନ୍ଧୁ ଭାବେ ବନ୍ଧା ବନ୍ଧୁ ମହାନ୍ତି ଯେ
ଅନନ୍ୟ ତାଙ୍କର ଗାଥା
ଭକତ ଭାବରେ ବନ୍ଧା ବୋଲି ପ୍ରଭୁ
ଦେଉ ଅଛନ୍ତି ବାରତା