ନବଯୌବନ ଦର୍ଶନ
ନବଯୌବନ ଦର୍ଶନ
ନବ ଯୌବନ ଓ ନବ ଉଦ୍ଦୀପନା
ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ
ଦେବତା ହୋଇ ବି ମାନବଙ୍କ ପରି
ଯୌବନ ଜୀଉଙ୍କ ଅଙ୍ଗେ
ମାନବୀୟ ଲୀଳା ପ୍ରକଟ ହେଉଛି
ନୀଳାଚଳ ଶ୍ରୀ ମନ୍ଦିରେ
ପରମ୍ପରା ପୁଣି ବିଧି ବିଧାନ ରେ
ପାଳନ ହୁଏ ଶ୍ରୀ କ୍ଷେତ୍ରରେ
ବର୍ଷ ସାରା ଲୀଳା ଲାଗି ରହିଅଛି
ଲୀଳାମୟ ଲୀଳା-ପ୍ରିୟ
ରୂପ ସିନା କଳା ଲୀଳା ତା ପ୍ରବଳ
ଦର୍ଶନରେ ପାପ କ୍ଷୟ।
ସ୍ନାନ ପୂର୍ଣ୍ଣିମା ରେ ସ୍ନାନ ବିଧି ସାରି
ଅଣସର ଘରେ ରହି
ଅସୁସ୍ଥତା ପରେ ବିଶ୍ରାମ ନିଅନ୍ତି
ସେବା କାର୍ଯ୍ୟ ଚାଲୁ ଥାଇ
ସ୍ନାନ ପୂର୍ଣ୍ଣିମା ରୁ ଅମାବାସ୍ୟା ତିଥି
ପନ୍ଦର ଦିନ ରହଣି
ଦଇତା ସେବକ ନିଷ୍ଠାର ସହିତ
ସେବା କରଇ ସେ-କ୍ଷଣି
ଆଷାଢ଼ ଅମାବାସ୍ୟା ଶେଷ ଦିବସ
ପ୍ରଭୁ ଦିଅନ୍ତି ଦର୍ଶନ
ଉଭା ଅମାବାସ୍ୟା ନାମରେ ନାମିତ
ନବ ଯୌବନ ଦର୍ଶନ<
/p>
ବନକ ଲାଗି ସମୟେ ନେତ୍ର ରଙ୍ଗ
ରହିଥାଏ ଅସମ୍ପୂର୍ଣ୍ଣ
କଳା ପ୍ରସ୍ତୁତ ରେ ନେତ୍ର ରଙ୍ଗ ହୁଏ
ନେତ୍ର ଉତ୍ସବ ବିଧାନ
ନବଯୌବନ ଦର୍ଶନ ନେତ୍ରୋତ୍ସବ
ଦୁଇଟି ପୁଣ୍ୟ ତିଥିରେ
ଦର୍ଶନ କରିଲେ ଅଭିଷ୍ଟ ପୂରଣ
ଶାନ୍ତି ପ୍ରାପ୍ତି ହୃଦୟରେ।
ବିଭିନ୍ନ ବେଶର ଗୁପ୍ତ ନୀତି କଥା
ହେଉଅଛି ପ୍ରଚଳିତ
ନବ ଯୌବନର ବେଶ ଦରଶନ
ପାପୀ ପାପ ହୁଏ ମୁକ୍ତ
ନବ ଯୌବନର ନବ ଉଦ୍ଦୀପନା
ଯେପରି ହୁଏ ଶରୀରେ
ସେହି ପରି ଠାଣି ଦେଖି ହୁଏ ପୁଣି
ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ।
ନବ ଯୌବନ ପାଇ ରଥ ଯାତ୍ରାରେ
ଭାଇ ଭଉଣୀ ସହିତ
କେତେ ସାଧୁ ସନ୍ଥ ଭକ୍ତଙ୍କ ଗହଳେ
ବଡ଼ ଦାଣ୍ଡେ ହୁଏ ଯାତ
ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ଲୀଳା
ବୁଝି ଅବୁଝା ଲାଗୁଛି
ସଂସାର ମାୟାରେ ମନ ବିଚଳିତ
ଶରଣ ଭିକ୍ଷା ମାଗୁଛି।