ନବାକ୍ଷରୀ ଛନ୍ଦରେ ପରିବେଶ ସୁରକ୍ଷା
ନବାକ୍ଷରୀ ଛନ୍ଦରେ ପରିବେଶ ସୁରକ୍ଷା
ସୃଷ୍ଟି ଆରମ୍ଭିଲା ସମୟ ,ବ୍ରହ୍ମା ଯେ ଚିନ୍ତିଲେ ପ୍ରାୟ ।
ଶ୍ରେଷ୍ଠ ଜୀବ ଧରାରେ ନର,ଆସନ୍ତି ଜୀବ ପରକୁ ପର ।
ନାନା ପଶୁପକ୍ଷୀ ସୃଷ୍ଟିର,ବାସ ନିମିତ୍ତ ବୃକ୍ଷ ତା'ର ।
ଖାଦ୍ୟ ଖାଆନ୍ତି ଖୋଜି ଖୋଜି,ଶିକାର କରି ଅବା ଭୋଜି ।
ଜୀବଜନ୍ତୁ ଯେ ବୃକ୍ଷ ଲତା,ବଣ ଜଙ୍ଗଲ କେତେ କଥା ।
ନଦୀ ସମୁଦ୍ର ଜଳରାଶି,ପରିବେଶରେ ଜନ ଖୁସି।
ଶସ୍ୟ ସମ୍ପଦ ଭରି ଦେଲେ,ମଣିଷ ସୁଖ ଶାନ୍ତି ଭଲେ ।
ବୁଦ୍ଧିମାନ ଯେ ଏ ମଣିଷ,କଥା କୁହଇ ହସ ହସ ।
ସବୁ ଜୀଵଙ୍କୁ ଆୟତ୍ତରେ,ପାଳିଲା ସେନେହ ଶ୍ରଦ୍ଧାରେ ।
ଦିନକୁ ଦିନ ବୁଦ୍ଧି ବଳେ,ଜିଣିଲା ଏହି ଭୂମଣ୍ଡଳେ ।
ଷଡ଼ରିପୁ ବଶବର୍ତ୍ତୀ ସେ,ଚନ୍ଦ୍ରେ ବାସ କରିବା ଆଶେ ।
ବିଜ୍ଞାନୀ ବିଜ୍ଞାନ ସନ୍ତାନ,ନ କରି ସେ ବୃକ୍ଷ ରୋପଣ।
କାଟି ସବୁ ପଦା କରିଲା ,ଅନିୟମିତତା ବଢିଲା।
ବର୍ଷା ଋତୁରେ ବର୍ଷା ନାହିଁ,ଶୀତରେ ଉଛୁଳଇ ନଇ ।
ଜଳସ୍ତର ହ୍ରାସ ଯେ ହେଲା,ପଲିଥିନ ବହୁଳ ହେଲା ।
ମୃତ୍ତିକା କ୍ଷୟ ଦିନୁଦିନ,ଭୋଗିଲା ମଣିଷ କଷଣ।
ସଚେତନତା ଆବଶ୍ୟକ,ପଚାରୁ ଥରେ ସେ ବିବେକ ।
କଂକ୍ରିଟର ଜଙ୍ଗଲ କରି ,ବିଶ୍ବତାପକୁ ବୃଦ୍ଧି କରି ।
ନୂତନ ଜ୍ଞାନ କଉଶଳେ, ବିନାଶ ପଥେ ନିତି ଚଳେ।
ଏପଟେ କରଇ ଉନ୍ନତି, ତେଣେ ଘଟେ ନାନା ବିପତ୍ତି ।
କର୍ମକୋଢି ହୋଇ ମଣିଷ, ନ କରେ କିଛି ଚାଷବାସ।
ପଡିଆ ପଡେ କୃଷି କ୍ଷେତ, ଦରଦାମରେ ମୁଣ୍ଡେ ହାତ ।
ହେଣ୍ଡି ମାରେ ମାଗଣା ଖାଇ ,କେତେ କଳି ନିମନ୍ତ୍ରଣଇ ।
ଟିକିଏ ବର୍ଷା ହେଲେ ପୁଣି, ନର୍ଦ୍ଦମା ଜଳେ ରୋଗ କିଣି ।
ବିଜ୍ଞ ଜନର ବୁଦ୍ଧି ପାଇଁ, ଦୁଃଖ କଷ୍ଟରେ ହାଇଁ ପାଇଁ ।
ହେଜିବା ବେଳ ହୋଇଗଲା, ନ ହେଜିଲେ ତ ପ୍ରାଣ ଗଲା।
ଏଥକୁ ବିଚାର ନିଜର , ଦୁଃଖେ କି ସୁଖେ ଚିନ୍ତା କର ।
ମୋହର ଦୋଷାଦୋଷ ଥିଲେ, ନିଜ ଗୁଣେ କ୍ଷଣିବ ଭଲେ ।