ନାଷ୍ଟାଲଜିଆ
ନାଷ୍ଟାଲଜିଆ
ଅତୀତରେ ଦିନେ ସାଇକେଲ ଧରି
ଫେରୁଥିଲି ମୁଁ ଘରକୁ ।
ଦେଖିଲି ଟ୍ରକ୍ ଦୁର୍ଘଟଣା ହେଲା
ଓଲଟିଲା ଗାଡି ତଳକୁ ॥
ବାଉଁଶ ଟ୍ରକଟା ଥିଲା ତାହା
ଲୋକ ଚଢିଥିଲେ ଗାଡି ଉପରେ ।
ଓଲଟିଲା ଗାଡି ମା ଲୋ ବାପା ଲୋ
ରଡି କଲେ ପଡି ରାସ୍ତାରେ ॥
କାହାର ଆଖିରେ ବାଉଁଶ ଗଳିଛି
ମୁହଁ ନାକ କାର ଖଣ୍ଡିଆ ।
ହାତ ଗୋଡ ପିଠି ଖଣ୍ଡିଆ କାହାର
ଯନ୍ତ୍ରଣାରେ ଲଣ୍ଡ ଭଣ୍ଡିଆ ॥
ଲୋକେ ଯାଉଥିଲେ ତାଙ୍କୁ ଘେରିଗଲେ
ପାଣି ଟୋପେ ତହିଁ ମିଳେନି ।
ଲୋକ ଘେରିବାରୁ ନୟାନ୍ତ ହେଲେ ସେ
ପବନ ଟିକିଏ ଗଲାନି ॥
ମୋବାଇଲ ନାହିଁ ରାସ୍ତାର ମଝିଟା
ଗାଁ ଗଣ୍ଡା ନାହିଁ ପାଖରେ ।
ଘୁଞ୍ଚିଯାଇ ଟିକେ ପବନକୁ ଛାଡ
ଲୋକଙ୍କୁ କହିଲି ଶେଷରେ ॥
ପାଣି ଟୋପେ ସିନା ଦେଇ ପାରିଲୁନି
ପବନ ଟିକିଏ ଛାଡିଲୁ ।
ଆହତଙ୍କୁ ସବୁ ଚିକିତ୍ସା ପାଇଁକି
ଆନ ଗାଡି ରୋକି ଛାଡିଲୁ ॥
କି ବୀଭତ୍ସ ଦୃଶ୍ଯ ଦୁର୍ଘଟଣା ଥିଲା
ଭାବିଲେ ଦେହ ମୋ ଛାନିଆ।
ଭାବେ ମୋର ଚେତା ବୁଡିଯିବ କିବା
ଅତୀତର ଏ ନାଷ୍ଟାଲଜିଆ ॥
ଏମିତି ବିପଦ ନଆସୁ କାହାକୁ
ମନେ ମନେ ସଦା ମୁଁ ଭାବେ ।
ଦଇବ କରୁଣା ହେଲେ ଊଣା ଦୈବୀ
ଦୁର୍ବିପାକ ଘଟେ ଏ ଭବେ ॥