ନାରଖାର ପୂର୍ବରୁ ହୁଅ ହୁସିଆର
ନାରଖାର ପୂର୍ବରୁ ହୁଅ ହୁସିଆର
ଶହ ଶହ ମୋର ଗାଁ, ଭାଇଚାରା ଭାବ ହୋଇଛି ଭର୍ତ୍ତି
ମୋର ଭାରତ ଭିତରେ
ସରଗ ନୁହେଁ ତାର ସମ, ଏକାଠି ରହୁଛୁ ଆମେ ସର୍ବ
ଜାତି ଧର୍ମର ମଣିଷ ଗୋଟିଏ ନିଡରେ ।
ମାନବ ଜୀବନ ଶ୍ରେଷ୍ଠ, ମାନବ ସେବା ଶ୍ରେଷ୍ଠ ଧର୍ମ,
ଆମେ ଗାଉ ସବୁ ମଣିଷ ରୁହନ୍ତୁ ସୁଖରେ
ତୁମେ ଓ ମୁଁ ର ଅବସ୍ଥାନ ନୁହେଁ ଭିନ୍ନ, ଦର୍ଶନ ଆମର
ଦୁଇଗୋଟି ପକ୍ଷୀ ନିଡ ଗୋଟିଏ ଡାଳରେ ।
ଗାଁ ସବୁ ମୋର ମୁଖରିତ ହୁଏ, ବାର ମାସେ ତେର
ପର୍ବ ପର୍ବାଣୀ ପାଳନରେ
ସ୍ନେହ ପ୍ରେମର ସମ୍ପର୍କ ଛିଡା ହୋଇଛି, ଭେଦ ଭାବ
ରଜ୍ଜୁକୁ ଛିନ୍ନ କରିରେ ।
ମତାନ୍ତର ଅଛି କିନ୍ତୁ ମନାନ୍ତର ନାହିଁ, ବିପଦେ ସର୍ବେ
ଗୋଟେ ଛାତ ତଳେ ହୁଅନ୍ତି ଛିଡା
ରଜ, ଦୋଳ, ଦଶହରା ପର୍ବରେ ସମସ୍ତେ ମମତା
ବନ୍ଧନେ ଏକ ଭାବେ ହୋଇଛୁ ଗଢା ।
ଚେଷ୍ଟା ଚାଲିଛି, କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ପଣସ ଖାଇ
ଅଠା ନେସାରେ ହୋଇଛନ୍ତି ଅଭ୍ୟସ୍ତ
କାଉ ପରି ଦୋଷ ସାରା ଅନ୍ୟ ମୁଣ୍ଡେ ବୋଳି ଦେଇ
ସୁବଚନ ପରଷି ଠକିବାରେ ବ୍ୟସ୍ତ ।
କଳି ମଞ୍ଜି ଆଣି ନିତି ଦିନ ପୋତି ସର୍ବଦା ଚେଷ୍ଟିତ ସେହି
ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ମନାନ୍ତର ସୃଷ୍ଟି ପାଇଁ
ପାପର ଗଦାରେ ଠିଆ ହୋଇ କହୁଛି ପୁଣ୍ୟ ପଥ ଥାଅ ଧରି,
ମନେ ଭାବେ କେହି ଜାଣିବେ କାହିଁ ପାଇଁ ।
ସମୟ ଆସିଛି ନିଜକୁ ପଚାରିବାକୁ, ଆତ୍ମ ବିଶ୍ଳେଷଣ ଓ
ଆତ୍ମ ସମୀକ୍ଷଣ କରି
ପାଇବା ଉତ୍ତର, ଦୋଷ ଅବା ଦେବା କାହାକୁ ଭଲା, ମିଛ
ଜାଲେ ଫସିଛେ କୃତ କର୍ମ ଆମ ସବୁରି ।
ମିଠା ନରମ କଥା ଡ୍ରାମାବାଜୀରେ ଭଳି ଆପଣା ହାତେ
ଜିଭ ଛେଦନ କରିଲୁ
ଜାଣି ଶୁଣି ବିରାଡ଼ି ବୈଷ୍ଣବ ଭାଷା କୁହା ଠିକାଦାରକୁ
ଶାସନରେ ବସାଇଲୁ ।
ବୀଜ ଫୁଟିଲେ ଅଙ୍କୁରିତ ହୋଇ ପତର ଖୋଲେ,
ସବୁ ତ ହୋଇଯିବ ନାରଖାର
ସ୍ୱାର୍ଥ ପାଇଁ ଠକି ଚାଲେ ବାରମ୍ବାର, ସବୁ ନାରଖାର
ପୂର୍ବରୁ ଏବେ ହୁଅ ହୁସିଆର ।