STORYMIRROR

Binata Mohanta

Abstract Inspirational

4  

Binata Mohanta

Abstract Inspirational

ନାରୀ ପୂର୍ଣ୍ଣାଙ୍ଗର ଚିତ୍ର

ନାରୀ ପୂର୍ଣ୍ଣାଙ୍ଗର ଚିତ୍ର

1 min
427

ନାରୀ ଏକ ସରଳ ସାବଲୀଳ

     ଭାବପୂର୍ଣ୍ଣ କବିତା

ଶରୀର ଏକ ତଥାପି ରୂପରେ

      ଆଣଇ ବିବିଧତା ।।

ପୁତ୍ତଳିକା ନୁହେଁ ସେ ପ୍ରତି କ୍ଷେତ୍ରେ

      ପରିପୂର୍ଣ୍ଣା ନାରାୟଣୀ

କେବେ ନମ୍ରତାର ପ୍ରତିରୂପ

      କେବେ ସାକ୍ଷାତ କାତ୍ୟାୟନୀ ।।

ନାରୀ ନୁହେଁ ପରଦା ପଛର

      ଅଦେଖା ଅଲେଖା କାହାଣୀ

ସମାଜର ବନ୍ଧନକୁ ଯୋଡୁଥିବା

       ସେ ଏକ ମଧୁର ବାଣୀ  ।।

ନାରୀ ନୁହେଁ ପୁରୁଷର

      ସଫଳତାର ଅଦୃଶ୍ୟ ମନ୍ତ୍ର

ସେ ତ ନିଜ ହାତେ ଲେଖେ

      ନିଜ ଗରିମା ଗାଥା ସ୍ଵତନ୍ତ୍ର ।।

ନାରୀ ଗଢେ ସମାଜକୁ

      ସରସ ସୁନ୍ଦର ସୂଚି ସମ୍ପନ୍ନ 

ତା' ବିନା ସମାଜର ସ୍ଥିତି ଅବା 

      ଉନ୍ନତି ଭିତ୍ତିହୀନ  ।।

କେବେ ଗାର୍ଗୀ ବେଶେ ମନ୍ତ୍ର ମୁଗ୍ଧ କରେ

      ତା'ର ବେଦ ଗାନ

କେବେ ଶତ୍ରୁନାଶେ ସାଜେ ଝାନସି ରାଣୀ

       ଧରି ହାତେ କୃପାଣ  ।।

ଅଧୁନା ନାରୀ ନୁହେଁ ଅବଳା 

       ପ୍ରତି କ୍ଷେତ୍ରେ ସେ ଅଗ୍ରଣୀ

ଜ୍ଞାନ ବୁଦ୍ଧି ବଳେ ବୁଣିଛି

       ତା'ର ସଫଳତାର କାହାଣୀ ।।

ସହଧର୍ମିଣୀରୁ ସମାସ୍କନ୍ଦ ଯାଏଁ

       ଯାତ୍ରା ଅବିଶ୍ଵନୀୟ

ସମ୍ଭବ କରିଛି ନିଜ ପରିଚୟ

      ଆମୋଘ ଅତୁଳନୀୟ  ।।

ତା'ର ମୌନତା ନୁହେଁ କ୍ଷୀଣତା

       ସେ ତ ସହିଷ୍ଣୁତାର ସାର

ବାଗ୍ ଦାତ୍ରୀ ସେ ମଣିଷ ରୂପରେ

       ସରସ୍ଵତୀ ଅବତାର    ।।

ନାରୀ ପଢିଲେ ,ନାରୀ ବଢିଲେ

      ଗଡିବ ସମାଜର ଚକ

ବିଶ୍ଵ ପଟଳରେ ଭାରତ ବର୍ଷ ହେବ

       ଶ୍ରେଷ୍ଠତାର ପ୍ରତୀକ ।।

ଡାକ୍ତର, କ୍ରୀଡାବିତ୍, ବୈଜ୍ଞାନିକ

       ଅବା ଶିକ୍ଷୟିତ୍ରୀ

ନାରୀ ଆଜି ସବୁ କ୍ଷେତ୍ରେ ହୋଇଅଛି

       ପ୍ରଶଂସାର ପାତ୍ରୀ  ।।

ଥିଲା କେବେ ନାରୀ ଶଦ୍ଦ,ବର୍ଣ୍ଣ

       ସ୍ଵରହୀନ ଫର୍ଦ୍ଦ ମାତ୍ର

ବିନ୍ଦୁ ବିନ୍ଦୁ ଯୋଡି ଆଙ୍କିଛି ତହିଁ 

       ସେ ପୂର୍ଣ୍ଣାଙ୍ଗର ଚିତ୍ର  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract