ନାରୀ-ମେଧ
ନାରୀ-ମେଧ
ସଜ-ଫୁଟା ମଲୀ-ଫୁଲ'ଟିଏ,
ମାଗୁ'ଥିଲା-
ଅଂଜୁଳି'ଭରି ଜୋଛନା-
ଶିଶିର-ଭିଜା
ଜୋଛନା'ରେ ଗାଧୋଇ,....
ସଜଳ-ସିକ୍ତ ଶରୀରେ
ପୂଜି'ଥିଲା--
ଲକ୍ଷେ-ଶିବ....;
ମହମ-କଳେବରା
ଜାଳି'ଥିଲା ଜଳି-ଜଳି-
ଲକ୍ଷେ ଦୀପ....
ତା ଭାବ-ମାନସ'କୁ କଅଁଳେଇ
ଓହ୍ଲାଇ ଆସୁ'ଥିଲେ,
ସହସ୍ର କୁଆଁରୀ-ଜହ୍ନ....
ସ୍ପର୍ଶ-କାତର
ଲାଜ'କୁଳୀ-
ଅଂଗ-ବଲ୍ଲରୀ'ର-
ସଂକୁଚିତ ପୃଥିବୀର
ଅଂଧାରୀ କୋଣରେ,
ଚୁନା-ଚୁନା ସପନ ଓ-
ତାରା-ଫୁଲ'ମାନେ......
କିଏ ସେ...?
ସ୍ପନ୍ଦନେ-
ଉଷୁମ ଦୀର୍ଘଶ୍ବାସେ-
ସ୍ପର୍ଶ ଆତିଶଯ୍ୟେ....??
କୁଆଁରୀ-ରାତି'ର
ଛାତି'ର ଫୁଲ-ଶେଯେ...
ଭୁରୁ-ଭୁରୁ ସୁରଭିତ-
ମଳୟ' ସୁବାସେ-
ବାତାୟନ ପଥେ...;;
କେଉଁ ପାରିଜାତ ଅବା-
ନୈବେଦ୍ୟ-ସୁଗଂଧେ,
ଅଧିଷ୍ଠିତ ପୂଜା-ବେଦି'ଟିଏ-
ଅରଚନା ପାଇଁ,
କେଉଁ ଦେବତା'ର, ଅବା-
ଯକ୍ଷ-ଦାନବ'ର.....
କି'ବା ନାରୀ-ମେଧ
ଯଜ୍ଞ-ଶାଳେ ବଂଦୀ,
ବଳି'ର ନିମିତ୍ତ,
ଯୁପ-କାଠ ଘେରେ-
ବିଳପେ କରୁଣେ,
ପ୍ରେମ-ହୀନ ପୃଥିବୀ'ରେ......
ସ୍ୱପ୍ନ-ସବୁ-
ଧୂଆଁ'ର କୁଂଡଳି,
ନୈବେଦ୍ୟ'ରେ-
ଧର୍ଷଣ' ଦୂର୍ଗଂଧ,
ଫୁଲ-ସବୁ-
କୀଟ-ଦ୍ରଂଷ୍ଟ ଏଠି,
ଦାନବ'ର-
ଦୃପ୍ତ-ପଦ-ପାତେ,
ଏ ମହୀ-ମଂଡଳେ.....
