ନାରୀ ଅନ୍ତଃସ୍ବର
ନାରୀ ଅନ୍ତଃସ୍ବର
ନାରୀ ହୃଦୟର ନିଗିଡା କୋହରେ
ଥରୁଛି ସଂସାର ଆଜି
କେବେ କେଉଁ ରୂପେ ଆସିବ ଦୁର୍ମତି
ଲୁଟି ନେବ ସ୍ବପ୍ନରାଜି ।
ସରଳ କୋମଳ ନିଷ୍ପାପ ହୃଦୟ
ତରଳୁଛି ଲୁହାପରି
କେମିତି ସବିବ ମାତୃ ଜାତି ଏହା
ହୃଦୟ ହୁଏ ଭଗାରି ।
ଆଦ୍ୟ ଶୈଶବର ପହିଲି ସପନ
ପିଞ୍ଜରାରେ ଯାଏ ସରି
ବିଲ ବଣ ତୋଟା କାହୁଁ ସେ ବୁଲିବ
ଅଭାଗିନୀ ଯାଏ ଡରି ।
ଧୂଳିଖେଳ ଅବା ବୋହୂ ଚୋରି ଖେଳ
ସପନର ଇସ୍ତାହାର
କରୁଣ କାହାଣୀ ଘଟେ ଦିବାନିଶି
ଶୁଣିବାକୁ ଲାଗେ ଡର ।
ଆଜିବି ଦାନବ ଆକ୍ରୋଶ ମନରେ
ନିଅଇ ଯୈ।ତୁକ ରାଜି
ଖୋଲା ଆକାଶରେ ଲୋଟେ କୂଳବଧୁ
ହରାଇ ଜୀବନ ବାଜି ।
ସ୍ବାଧିନତା ଆଳେ ସ୍ୱାର୍ଥ ବିଭୀଷିକା
ରଚଇ ମହାତାଣ୍ଡବ
ଜାଳି ପୋଡ଼ି ଦିଏ ସୁନାର ସଂସାର
ପରଶ୍ରୀ କାତର ଭାବ ।
