ନାରଦଙ୍କ ପ୍ରହେଳି ଗଣିତ
ନାରଦଙ୍କ ପ୍ରହେଳି ଗଣିତ
ଅନ୍ତରୀକ୍ଷେ ମାର୍ଗେ ଦିନେ ନାରଦ ମହର୍ଷି l
ଯାଉଥିଲେ ବୀଣାବାଇ ହରିନାମ ଘୋଷି ll
ଦେବକାର୍ଯ୍ୟ ସାଧିବାକୁ ଚିନ୍ତା କରି ମନେ l
ପହଞ୍ଚିଲେ ଯାଇ ଭୋଜରାଜ ସନ୍ନିଧାନେ ll
ବୋଇଲେ କଂସ ବାବୁରେ କରୁଅଛୁ କିସ l
ଦେବତାମାନେ ଚିନ୍ତନ୍ତି ତୋର ସର୍ବନାଶ ll
ଦେବକୀ ଅଷ୍ଟମ ଗର୍ଭେ ସୁତ ନାଶେ ତୁହି l
କାରାବାସେ ରଖିଅଛୁ ଭଉଣୀ ଭିଣୋଇ ll
ପ୍ରଶଂସା ପାଇଁ ବାବୁରେ ବୁଦ୍ଧିକୁ ତୋହର l
ମୁଖରୁ ଭାଷା ବାବୁରେ ସ୍ଫୁରୁନାହିଁ ମୋର ll
ମାତ୍ର ଏକ କାର୍ଯ୍ୟ କଲୁ ବଡ଼ ଅଵିଵେକୀ l
ଚେତାଇ ଦେବାକୁ ବାବୁ ଆସିଛି ଏଠିକି ll
ଆଠଗୋଟି ସନ୍ତାନକୁ ମାରିବୁ ତୋ ପଣ l
ପ୍ରଥମେ ଛାଡ଼ି ତୁ ନାରାୟଣ ! ନାରାୟଣ !
କଂସ କହେ ମୁନିବର ଶତ୍ରୁ ମୋ ଅଷ୍ଟମ l
ସମସ୍ତଙ୍କୁ ମାରି କିଆଁ ଅର୍ଜିବି ଅଧର୍ମ !!!
ନାରଦ ହସନ୍ତି କହି ବାବୁ ଦୈତ୍ୟନାହା l
ଦେବତାଙ୍କ କୂଟ ତୁହି ବୁଝିଲୁନି ଯାହା ll
ଏମନ୍ତ କହି ସେ କାଟିଦେଲେ ଅଷ୍ଟଗାର l
କଂସକୁ ବୋଇଲେ ବାବୁ ବୁଝାଅ ଏଥର ll
ମୂଳରୁ ଗଣି ତୁ ବାବୁ ଆଠଆଡ଼େ ଗଲେ l
ଆଠଟି ଅଷ୍ଟମ ବାବୁ ହୋଇଗଲା ଭଲେ ll
ଲେଉଟାଇ ଗଣି ନିଅ ବାବୁ ଆଉ ଥରେ l
ଏକଟି ଅଷ୍ଟମ ପୁଣି ହେଲାନାହିଁ କିରେ !!!
କୋଉ ଅଷ୍ଟମର ବାଣୀ ଶୁଣି ଅଛୁ ଭାଇ l
ଅମରେ ମାରିବେ ବାବୁ ଏପରି ଭୁଲାଇ ll
ନାରଦ ପଢ଼ାଇ କଂସେ ପ୍ରହେଳି ଗଣିତ l
ନାରାୟଣ ଡାକି ଚଳି ଗଲେ ଶୂନ୍ୟପଥ ll
ଉଚ୍ଚାଟେ ସର୍ବସନ୍ତାନ ମାରିବ ବୋଇଲା l
ଏ ଭାବେ କଂସ ମରଣ ନିକଟ ଆସିଲା ll