ନାନୀ ମାଁ
ନାନୀ ମାଁ
ହେତୁ ହୋଇ ନ ଥିଲା ଜାଣିବାକୁ
କିଏ ନାନୀ କିଏ ମାଁ
କରୋନା କାଳ ଆମ ବାପା ଖାଇଲା।
ମାଁ ମୋତେ ଧରି ପିଚୁ ରାସ୍ତାରେ ତଳେ ତଳେ ଚାଲି ଚାଲି ଗାଁ କୁ ଆସିଲା।
ଘୋର ଦାରିଦ୍ର୍ୟ ସହ କରୋନା ରୋଗର ଯନ୍ତ୍ରଣା।
ଭାଇକୁ ଅଧା ବାଟରେ ଜନ୍ମ ଦେଇ ମାଁ ଆରପାରିକୁ ଗଲା।
ସେଇ ଦିନରୁ ମୁଁ ତା'ର ବାପା ଆଉ ମାଁ।
ଗାଁ କୁ ରାସ୍ତା ବି ନ ଥିଲା ଜଣା।
ଯୋଉ ଯାଗାରେ ବୋଉ ଶେଷ ନିଃଶ୍ୱାସ ନେଲା।
ରହିଗଲି ସେଇ ଜାଗାରେ ହୋଇଗଲା ସିଏ ମୋର ଗାଁ।
ଗଛ ଡାଳରେ ବୋଉ ଲୁଗାରେ ଭାଇକୁ ବାନ୍ଧି ଦେଇ କରେ ମୁଁ ବାସନ ସଫା।
ହତଭାଗାଟା, ବୋଉକୁ ଦେଖିନି
ବୋଉ ଲୁଗାରୁ ପାଏ ବୋଉ ର ବାସ୍ନା।
ହେଲାଣି ଦୁଇ ବରଷ କରୋନା ଆସିବା।
ଦୁହିଁଙ୍କ ଆସିବା ସମାନ ବେଳା।
ବଡ଼ ହେଲେ ସିଏ ଜାଣିବ ଆମ କାହାଣୀ ଅପାସୋରା।
ପାରିବ ସେ ତତଲା ଲୁହ ନ ନିଗାଡି ସାଇତି ରଖିବା।
ଆଜି ମୁଁ ଯେମିତି ଚାପିଛି କୋହର ଅଶ୍ରୁଧାରା।
