ଉଡନ୍ତା ଚଢ଼େଇ
ଉଡନ୍ତା ଚଢ଼େଇ
ମନ ମୋର ଏକ ଉଡନ୍ତା ଚଢ଼େଇ
ବିସ୍ତୃତ ନୀଳ ଆକାଶରେ ଉଡ଼ିବାକୁ ହୁଏ ମନ
ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ
ଦିଗର ନଥିବ ଧ୍ୟାନ
ଡେଣା ଉଡେଇ ପଂଖ ଖୋଲି ବୁଲିବି ମୁଁ ଦିଗରୁ ଦିଗନ୍ତ
କୋଉଠି ଆଖି ଲାଖିଯିବ ଦେଖି ସୁନ୍ଦର ଗାଆଁ ପରିବେଶ
କୋଉଠି ଦେଖୁଥିବି ନୀଳ ଆକାଶରୁ ବିସ୍ତୃତ ନୀଳ ସାଗର
ଉତ୍ତାଳ ତରଙ୍ଗ ଉଚ୍ଚ ଉଚ୍ଚ ଢେଉ ଛୁଇଁବାକୁ ମନ ଲାଳାୟିତ
ଉଡି ଉଡି ଥକି ଗଲେ ମୁଁ ହିଁ ଖୋଜିବି ନୀଡ଼ଟେ
ଗୋଡ଼ ଦୁଇଟାକୁ ଦେବାକୁ ବିଶ୍ରାମ
ନିଛାଟିଆ ବିଜନରେ ଖୋଜି ବୁଲିବି
ବରଗଛର ଡାଳ
ଖାଇବି ବର ଫଳ ଆଉ କଅଁଳିଆ ଓହଳ
ପିଇବି ନଈର ମଧୁର ଜଳ
ଜହ୍ନ ଜୋଛନାରେ ଖିଲି ଖିଲି ହସୁଥିବ କୁମୁଦ
ସଜେଇ ଗଭାକୁ ଜଳାଉଥିବ କଲିଜା ପଦ୍ମର
କାଚକେନ୍ଦୁ ପାଣିରେ ମୁହଁ ମୋର ଦିଶୁଥିବ ଝଲମଲ
ପ୍ରକୃତି ଛଟା ଦେଖିବାକୁ ବସି ପଡିବି ନଈପଠା ପାଖର
ସଞ୍ଜ ସମୀରର ତାଳେ ତାଳେ ଦୋଳି ଖେଳୁଥିବ କାଶତଣ୍ଡୀର ଫୁଲ
ପଚାରି ବସିବ ମୋତେ ଭ୍ରମଣ କୋଉ କୋଉ ଜାଗା ସାରିଲ
ଘରେ ଘରେ ଅତିଥି ଅଭ୍ୟାଗତଙ୍କର ଜମିଚି ଆସର
ଦୁଇ ତିନିଦିନ ରହିଯାଆ ଏଇଠି ଦେଖିବୁ ଦୂର୍ଗା ପୂଜା ଆମର
ମନ ହେଲା ବୁଲିବାକୁ ଟିକେ ବୁଲି ଆସିଲି
ରହି ପାରିବିନି ଏତେ ଦିନ
ଘରେ କୁନି କୁନି ଛୁଆମାନେ ଚାହିଁ ବସିଥିବେ ବାଟ
ତାଙ୍କୁ କିଏ ଖାଇବା ଦବ
ଆମ ଘର ଗଛ ତଳେ ରହୁଚି ଗୋଟିଏ ବିଷଧର ସର୍ପ
ଓର ଉଣ୍ଡି କରି ମୋ ଛୁଆଙ୍କୁ ଯଦି ଖାଇଦବ
ନିଆଁଲଗାଟା ଆଜିଯାଏ ଗୋଟେ ଛୁଆ ରଖେଇ ଦେଇନି ମୋର
ଛୁଆମାନେ ଉଡି ଶିଖିବା ଯାଏ ଜଗିଥିବି ପାରୁ ପର୍ଯ୍ୟନ୍ତ
ପିଲା ପାରିଲାର ହୋଇଗଲେ ମନ୍ଦିର ପାଖ ଦେଖି ବସା ବାନ୍ଧିବି ଯେମିତି ନିତି ଶୁଣୁଥିବି ହରିବୋଲ ଘଣ୍ଟ ଘଣ୍ଟିର ଶବ୍ଦ