STORYMIRROR

Ajaya kumar Jena

Inspirational

3  

Ajaya kumar Jena

Inspirational

ନାହିଁ ଆଉ ଗୁରୁ ସତ୍ତା

ନାହିଁ ଆଉ ଗୁରୁ ସତ୍ତା

1 min
384

'ସେ' ଗୁରୁ,

ଯିଏ ଦିନେ ଆକାଶ ଆଉ ମାଟିର ମିଳନରେ

ଯୁଗରୁ ଯୁଗାନ୍ତର ହୋଇଥିଲେ ପରିବ୍ୟାପ୍ତ

'ସେ' ଆଜି ସଭ୍ୟତାର ଅନ୍ଧାର ଗଳିରେ 

ବିଲୀନ ଲୁପ୍ତପ୍ରାୟ ସତ୍ତା......।


ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ଭେଦି

ରକ୍ତ-ମାଂସ-କଙ୍କାଳେ

ବେଦ-ଉପନିଷଦ କୁ ଦେହେ ବୋଳି

ଦିନେ ସେ ମାପୁଥିଲେ ବୈକୁଣ୍ଠର ଦୂରତା,

ଖୋଜୁଥଲେ ଚିରନ୍ତନ ସତ୍ୟ

ଆଉ ଦେଉଥିଲେ ଭବିଷ୍ୟତର ବାର୍ତ୍ତା,

'ସେ' ହିଁ ତ' ଗୁରୁ ସତ୍ତା..........।


'ସେ' ଭୂତ-ବର୍ତ୍ତମାନ-ଭବିଷ୍ୟତର ପଥପ୍ରଦର୍ଶକ,

ଅନ୍ଧାରର ବୁକୁ ଚିରି ଆଙ୍କିପାରନ୍ତି

ପ୍ରକାଶର ପ୍ରତିଛବି,

ଆଉ ଆଜ୍ଞାନରୁ ଗଢି ପାରନ୍ତି

କୋଟି କୋଟି କାଳିଦାସ-ବାଲ୍ମୀକି।


ତାଙ୍କ' ଅଭୟ ବରଦାନେ

ପଙ୍ଗୁ ଲଙ୍ଘିପାରେ ସୁଉଚ୍ଚ ଗିରି,

'ବିଲେ' ହୋଇପାରନ୍ତି...

ବିଶ୍ୱ ବିଜୟୀ 'ବିବେକାନନ୍ଦ',

ଆଉ 'ବେଲାଳ ସେନ' ବି ଜିତିପାରେ

ଛିନ୍ନ ତନ୍ତ୍ରୀରୁ ଏକଦିନେ ଏକ ବାଣେ

ଅଠର ଦିନର ମହାଭାରତ।


ଲଭି ତାଙ୍କ ପାଦସ୍ପର୍ଶ 

ମରୁଭୂମିର ଶୁଷ୍କ କଥନୀକା

ଉଲ୍ଲସିତ ହୁଏ ସବୁଜ ପଣରେ,

ଆଉ ଅନ୍ଧାରି ଗୁହାରୁ ବି ଭାସିଆସେ

ମହ ମହ ଗଙ୍ଗଶିଉଳିର ବାସ୍ନା।


ହେଲେ ଆଜି!

ନାହାନ୍ତି ସେ ଗୁରୁ, ନାହିଁ ଗୁରୁ ସତ୍ତା,

ବ୍ୟାସଦେବଙ୍କ ଠାରୁ ପ୍ରଜାପତି ମନୁ

ରାମକୃଷ୍ଣଙ୍କ ଠାରୁ କୌଟିଲ୍ୟ ପର୍ଯ୍ୟନ୍ତ

ସବୁ ଏବେ ପୃଷ୍ଠା ପୃଷ୍ଠା ଇତିହାସ

ଆଉ ଗଦା ଗଦା ପୁରାଣ ପୋଥି ରେ

ଜୀବନ୍ତ ଦଗ୍ଧ.........।


ନିଃଶେଷ ହୋଇଛି ଗୁରୁ ସତ୍ତା,

ବିକ୍ରି ହେଉଛି ଧାଡି ଧାଡି ବିଦ୍ୟା,

ସୃଷ୍ଟି କୁ ଅନ୍ଧ ମୁହାଣ କୁ ଠେଲିଦେଇ

ଦୁର୍ମିଳ ଦାନବ ସାଜିଛି 

ଆଧୁନିକ ସଭ୍ୟତାର ଗୁରୁ ସତ୍ତା......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational