ମ୍ୟାଜିକ ବୋତଲ ଓ ମାଆ ତୁଳସୀ
ମ୍ୟାଜିକ ବୋତଲ ଓ ମାଆ ତୁଳସୀ
ଥରେ ଜଣେ କେଉଟ ମାଛ ଧରିବାକୁ ଜାଲ ପକେଇ ମାଛ ଧରୁ ଧରୁ ଗୋଟେ ମ୍ୟାଜିକ ବୋତଲ ପାଇଥିଲା. ବୋତଲଟିକୁ ମ୍ୟାଜିକ ବୋତଲ ଏଇଥି ପାଇଁ କୁହା ଯାଉଥିଲା କି ତାର ଆକାର ଗୋଟେ ଅସୁର ପରି ଥିଲା ଓ କେଉଟ ଯେମିତି ସେହି ବୋତଲ ର ଠିପି ଖୋଲିଛି ସେମିତି ଗୋଟେ ଅସୁର ତା ଭିତରୁ ବାହାରି କେଉଟ କୁ ଖାଇବ ବୋଲି କହିଥିଲା. ରାମ ନାମ୍ନୀ ସେହି କେଉଟ ଯେତେ ନେହୁରା ହୋଇ କହିଥିଲା କି ମତେ ଖାଇଲେ ତୁମର ଦିନକର ଆହାର ହେବ କିନ୍ତୁ ମୁଁ ମରିଗଲେ ମୋ ପରିବାର ରେ ଥିବା ପାଞ୍ଚ ପ୍ରାଣୀ କୁଟୁମ୍ବ ସବୁଦିନ ଭୋକରେ ରହିବେ. ଅସୁର ମନ ତରଳି ଗଲା ଓ ସେ କହିଲା ତେବେ ଆଜିଠୁ ଗୋଟେ ଚୁକ୍ତି ହୋଇଯାଉ. ତୁ ଯେତିକି ମାଛ ଧରିବୁ ମତେ ଦେଲେ ମୁଁ ତତେ ଗୋଟେ ମ୍ୟାଜିକ ବୋତଲ ଦେବି.ତୁ ସେହି ବୋତଲ କୁ ଦିନକୁ ଦୁଇଥର ଯାହା ମାଗିବୁ ଖାଇବାକୁ ସେ ତତେ ଦେବ ତେଣୁ ତୁ କି ତୋ ପରିବାର ରେ ଆଉ ଖାଦ୍ୟର ଅଭାବ ରହିବ ନାହିଁ. ମୋର ମଧ୍ୟ ମାଛ ଖାଇବା ଲୋଭ ପୁରଣ ହୋଇପାରିବ. ରାମ ଧୀବର ଖୁସି ହୋଇ ଅସୁରର ସର୍ତ୍ତରେ ରାଜି ହୋଇଗଲା ଓ ପୁଣି ଅସୁରକୁ ବୋତଲ ରେ ବନ୍ଦୀ କରି ନଈ କୂଳରେ ବୁଦାମୂଳେ ରଖିଦେଲା. ତା ପରେ ଦୈନିକ ଦୁଇ ବେଳା ଖାଦ୍ୟ ଯୋଗାଇ ପାରୁଥିବା ମ୍ୟାଜିକ ବୋତଲ ନେଇ ଘରକୁ ଗଲା. ତା ବାପା ମାଆ, ସ୍ତ୍ରୀ ସେ ନିଜେ ଓ ତାର ପୁଅ ଏଣିକି ଦୁଇ ଓଳି ଖାଇବା ପିଇବା ପାଇ ଖୁସିରେ ଚଳିଲେ ଓ ସର୍ତ୍ତ ଅନୁସାରେ କୈବର୍ତ୍ତ ଧରିଥିବା ମାଛ ସବୁକୁ ଅସୁରକୁ ଖାଇବାକୁ ଦେଇ ପୁଣି ବୋତଲ ରେ ବନ୍ଦୀ କରି ନଈ କୁଳ ରେ ରଖି ଅସୁରକୁ ଚାଲି ଆସୁଥିଲା ଘରକୁ . ଏହି ଭଳି ଦିନ ବିତୁଥିଲା.
କାଳକ୍ରମେ ଦେଖାଗଲା ସେହି ରାମ କେଉଟ ଦୁଇ ଓଳି ଖାଇବାକୁ ପାଇ ଆଉ ମାଛ ମାରିବାକୁ ଇଛା କଲା ନାହିଁ.ଅଳସୁଆ ହୋଇ ରାମ ମାଛ ନଧରିବାରୁ ମାଛ ନପାଇ ଅସୁରଟି କୈବର୍ତ୍ତ ରାମ ଉପରେ ମନେ ମନେ କ୍ଷୁବ୍ଧ ହେଉ ହେଉ ଦିନେ ଧୀବର ରାମ କଣ କଲା ନା ଅସୁର ଥିବା ବୋତଲଟିକୁ ନଈ ଭିତରକୁ ଫିଙ୍ଗି ଦେଇ ଘରକୁ ଚାଲିଆସିଲା ବେଳେ ଭାବୁଥିଲା ମୋ ପାଖରେ ତ ମ୍ୟାଜିକ ବୋତଲ ରହିଛି. ମୋର ଆଉ ଅସୁରକୁ କିବା ଡର!ସେ ଯେମିତି ନଈ ଭିତରେ ବନ୍ଦୀ ହୋଇ ମ୍ୟାଜିକ ବୋତଲରେ ପଡି ରହିଥିଲା, ସେହି ଭଳି ପଡି ରହିଥାଉ. ଦିନ କିନ୍ତୁ ସବୁବେଳେ ଭଲ ଯାଏ ନାହିଁ. ସର୍ତ୍ତ ନରଖି କେବଳ ସ୍ୱାର୍ଥ ରଖିଲେ ଫଳ ଓଲଟା ହେଲା ଭଳି ଏଠି ମଧ୍ୟ ରାମ କେଉଟ ପାଇଁ ଦୁର୍ଭାଗ୍ୟ ହୋଇ ଭାଗ୍ୟ ଆସିଥିଲା. ତାର ପଡୋଶୀ ଧୀବର ଭାଇମାନେ ଭାବୁଥିଲେ ଯେ ସେ କିପରି ମାଛ ମାରିବାକୁ ନଈକୁ ନଯାଇ ମଧ୍ୟ ପରିବାର ସଦସ୍ୟମାନଙ୍କ ସହିତ ଖୁସିରେ ଚଳିଯାଉଛି ଏକଥା ଭାବୁଥିଲେ. ଅନ୍ୟ କଥାରେ ମୁଣ୍ଡ ପୁରେଇବା ଲୋକଙ୍କ ଅଭ୍ୟାସ ସାଙ୍ଗକୁ ପେଜଖିଆ କୁ ଶାଗଖିଆ ସହି ସମ୍ଭାଳି ପାରୁନଥିବା ବେଳେ ପ୍ରଥମ କେଉଟ ରାମ କିପରି ମାଛ ନମାରି ମଧ୍ୟ ଅନା୍ୟାସାରେ ଚଳି ଯାଉଛି ଭାବି ହେଉଥିଲା ବେଳେ ସେଦିନ ଅନ୍ୟ ଧୀବର ଜଣଙ୍କ ଜାଲରେ ସେହି ରାକ୍ଷାସ ଥିବା ବୋତଲଟି ପଡିଥିଲା. ସେ ଦ୍ୱିତୀୟ କେଉଟ ପୂର୍ବପରି ବୋତଲର ଠିପି ଖୋଲି ରାକ୍ଷାସ କୁ ଦେଖି ଡରି ଯାଇଥିଲା. ଏଥର କିନ୍ତୁ ରାକ୍ଷାସ ସେହି କବର୍ତ୍ତ୍ୟ କୁ ନଖାଇ ପ୍ରଥମ କେଉଟ ରାମ କୁ କେମିତି ପାନେ ଦେବ ବୋଲି ଏବେ ଏହି ଦ୍ୱିତୀୟ କୈବର୍ତ୍ତ୍ୟ ଆଗରେ ସବୁକଥା କହିଥିଲା. ଏକଥା ଶୁଣି ଆମେ କି ସାହାଯ୍ୟ କରିବୁ ବା କରିପାରିବୁ କୁହନ୍ତୁ ବୋଲି ସେହି ଦ୍ୱିତୀୟ କୈବର୍ତ୍ତ୍ୟ ସବୁ କେଉଟ ଭାଇମାନଙ୍କୁ ଏକାଠି କରି ରାକ୍ଷାସ କୁ ପଚାରିବା ପରେ ରାକ୍ଷାସ ଅନ୍ୟ ଏକ ମ୍ୟାଜିକ ବୋତଲ ଦେଇ ସେମାନଙ୍କୁ କହିଥିଲା ତୁମେ ମୁଁ ଦେଇଥିବା ଏହି ମ୍ୟାଜିକ ବୋତଲଟିକୁ ସେହି ରାମ କୈବର୍ତ୍ତ୍ୟ କୁ ଦେଇ କହିବ ଏହାକୁ ଯାହା ମାଗିବ ସେ ଦେବ. ତୁମେମାନେ କିନ୍ତୁ ଏହି ବୋତଲର ଠିପି ଖୋଲିବ ନାହିଁ. ସେମାନେ ସମସ୍ତେ ଯାଇ ପ୍ରଥମ କେଉଟକୁ ସେହି ମ୍ୟାଜିକ ବୋତଲ ଟି ଦେଇ ଅସୁର କହିବା ଭଳି କହି ନିଜ ନିଜ ଘରକୁ ଫେରି ଘଟଣା କେତେ ବାଟ ଯାଉଛି ଲକ୍ଷ କରିବାକୁ ଜଗି ରହିଥିଲେ.
ଏପଟେ ପ୍ରଥମ କେଉଟ ରାମ ର ସନ୍ଦେହ ହୋଇଥିଲା ତ ସେ ସେହି ଦ୍ୱିତୀୟ ମ୍ୟାଜିକ ବୋତଲଟିକୁ ନଖୋଲି ନେଇ ସେଇ ସହ ସାଥି ହିଂସ୍ରକ କେଉଟ ଭାଇମାନଙ୍କୁ କହିଥିଲେ ଏହାକୁ ଖୋଲି ମୁଁ ବହୁ ଧନ ରତ୍ନ ପାଇଲି ଏବେ ତୁମେ ସବୁ ଜଣ ଜଣ କରି ଲୁଚିକି ଏହାକୁ ଖୋଲି ତୁମ ଇପ୍ସିତ ଧନ ନେଇଯାଅ କହି ଫେରିଆସିଲେ. ଜଣ ଜଣ କରି ଲୁଚି ରହି ଯେମିତି ମ୍ୟାଜିକ ବୋତଲ ଠିପି ଖୋଲି ଇପ୍ସିତ ଜିନିଷ ମାଗିଛନ୍ତି ଖାଲି ମାଡ଼ ପରେ ମାଡ଼ ଖାଇ ଏସବୁ କଥା ଅନ୍ୟକୁ ନକହି ଜଣେ ଜଣଙ୍କୁ ଧରାଇଦେବା ଫଳ ରେ ସମସ୍ତେ ସିଧା ମାଡ଼ ଖାଇ ବୁଝିଯାଇଥିଲେ କି ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ. ଏହା ଭାବି ସମସ୍ତେ ମ୍ୟାଜିକ ବୋତଲଟିକୁ ନେଇ ବୋତଲ ରେ ଥିବା ଅସୁରକୁ ଫେରାଇ ଏଇଟି ପ୍ରଥମ ମ୍ୟାଜିକ ବୋତଲ ଯୋଉଟିକୁ ମହାଶୟ ମହାଭାଗ ଆପଣ ପ୍ରଥମ କେଉଟ, ରାମ କୁ ଦେଇଥିଲେ ତା ଠାରୁ ଆମେ ବଦଳେଇ ନେଇ ଆସିଛୁ କହିବାରୁ ଅସୁର ମାଛ ଖାଇବା ଲୋଭ ଛାଡ଼ି ମ୍ୟାଜିକ ବୋତଲ ଠିପି ଖୋଲି ଯେମିତି ଖାଇବାକୁ ମାଗିଛି ତ ଖାଲି ମାଡ଼ ମିଳିଛି. ତା ସହ ଧୋକା ହୋଇଛି ଜାଣି ସେ ଦଉଡି ଦଉଡି ଅନ୍ୟ ଆଡ଼େ ଚାଲିଯାଇଛି. ଏସବୁ ଜାଣି ପ୍ରଥମ କେଉଟ ରାମ ମନରେ ଦୟା ଓ କ୍ଷମା ଆସିଛି. ସେ ଏଥର ତା ଜାତି ଭାଇ କେଉଟଙ୍କୁ ଡାକି ପ୍ରତିଦିନ ମ୍ୟାଜିକ ବୋତଲ ରୁ ମିଳୁଥିବା ଖାଦ୍ୟକୁ ବାଣ୍ଟି କୁଣ୍ଟି ଖାଇ ସମସ୍ତେ ସୁଖରେ ରହିଥିଲେ.
ଏହି ଉପରୋକ୍ତ ଗଳ୍ପଟି ଟିକି ନାତି ବାବାକୁ ଶୁଣାଇ ଥିଲେ କାରଣ ନାତି ବାବା ସ୍କୁଲ ରୁ ପାଇଥିବା ମ୍ୟାଜିକ ବୋତଲଟିକୁ ଜମା ଛାଡ଼ୁନଥିଲା ପାଖରୁ. ନାତି କେତେ ବୁଝିଲା କି ନବୁଝିଲା କେଜାଣି ଜେଜେମାଆ ସୁଭଦ୍ରା ଗପଟି ଶୁଣେଇ କହିଲେ ମୋ ମ୍ୟାଜିକ ବୋତଲ କଥାଟି ଏତିକି... ଫୁଲ ଫୁଟେ କେତକୀ. ସେ ଏତିକି କହୁ କହୁ ଆଦିକନ୍ଦ ବାବୁ ଫେରିଆସି ଗୋଟେ ବୋତଲ ଭିତରେ କିଛି ଗଛ ଓ ପତ୍ର ରଖି କହୁଥିଲେ ନିଅ ତୁମେ ଯାହା ଖୋଜୁଥିଲ ଏଠି. ସୁଭଦ୍ରା କହିଲେ ଏଠିକୁ ଆସିବା ଠାରୁ ମୁଁ ତୁଳସୀ ଗଛଟିଏ ଖୋଜିହେଉଛି. ପାଖ ଶନିମନ୍ଦିର ହେଉ ଅବା ଜଗନ୍ନାଥ ମନ୍ଦିର ରୁ ହେଉ,ତୁଳସୀ ଗଛ ଆଣିଲେ କାଳେ କିଏ କିଛି କହିବ ଭାବି ଆମେ ଶାଶୁ ବୋହୁ ଦୁହେଁ ଖାଲି ହାତରେ ଫେରି ଆସିଲା ପରେ ଦେଖିଲି ତଳ ମହଲା ର ଏଣ୍ଟ୍ରି ଗେଟେ ପାଖେ ତୁଳସୀ ଗଛଟିଏ ବଢିଛି ମନକୁ ମନ ତ ସକାଳୁ ଗାଧେଇ ପାଧେଇ ସେଇଠି ଯାଇ ପାଣି ଦେଇଆସୁଛି ମାଆ ତୁଳସୀ ଦେବୀଙ୍କୁ . ପଶୁ ପକ୍ଷୀ କି ମଣିଷ କୁ ନହେଲା ନାହିଁ ଅନ୍ତତଃ ଅମ୍ଳଜାନ ଦେଉଥିବା ତୁଳସୀ ଗଛଟିକୁ ଧାର୍ମିକ ମନୋଭାବ ସହ ଜଳ ମୁନ୍ଦେ ଦେଇ ମନ ବୁଝେଇ ନେଉଥିଲା ବେଳେ ତୁମେ କି ଗଛ ପତ୍ର ଏ ବୋତଲ ରେ ଭରି ଆଣିଛ ଶୁଣେ!ସୁଭଦ୍ରାଙ୍କ କଥା ଶୁଣି ସ୍ୱାମୀ ଆଦିକନ୍ଦ ବାବୁ କହିଥିଲେ ଆରେ ଆମ ଓଡିଶାରେ ଯେମିତି ତୁଳସୀ ପୂଜା ପରମ୍ପରା ରହିଛି. ଏଠି ମଧ୍ୟ ରହିଛି.ତାର ନାମ କିନ୍ତୁ ରାମ ତୁଳସୀ. ପାଖ ଦୋକାନ ରୁ ବୋତଲ କିଣି ତା ମଧ୍ୟରେ ରାମ ତୁଳସୀ ଗଛ ସହ କିଛି ପତ୍ର ଆଣିଛି ସେବା କରିବାକୁ. ସତକୁ ସତ ସେହି ବୋତଲ ରେ ଥିବା ରାମ ତୁଳସୀ ଗଛଟି ବଞ୍ଚି ଯାଇଥିଲା. ନିଜ ରାଇଜର ପରମ୍ପରା ଅନୁଯାଇ ନୂଆ ଲାଲ କପଡା ଗୁଡା ସେହି ମାଟି ସହ ରାମ ତୁଳସୀ ଗଛଟି ବୋତଲ ଭିତରେ ଐଶ୍ଵର୍ଗିକ ଆହ୍ୱାନରେ ବଢ଼ି ଚାଲିଥିଲା ଶାଶୁ ସୁଭଦ୍ରା ଓ ବୋହୁ ରୋଜା ହାତର ମ୍ୟାଜିକ ସ୍ପର୍ଶରେ. ଦୂରରୁ ଗ୍ରିଲ ଏପଟୁ ଝରକା ଦେଇ ବୋତଲ ଭିତରେ ବଢୁଥିବା ରାମ ତୁଳସୀ ଗଛଟିକୁ ମୁଣ୍ଡିଆ ମାରି ସରୋଜ ଅଫିସ ଯାଉଥିଲା ଖୁସି ଖୁସିରେ.
