ମୂଖ ମୟୂଖ
ମୂଖ ମୟୂଖ
ହରସ ସରସ ମୁଖ ମଣ୍ଡଳ
ମନ ମୟୂଖ ଦିଶେ ଚଳ ଚଞ୍ଚଳ
ଆଭା ବିଭା ଶୋଭା ପଙ୍କଜ ଦଳ
ଫଗୁଣ ମହକେ ଦଶଦିଶେ
ଋତୁରାଜ ଚମକେ ପରଶେ
ଖୁସି ଫୁଲ ବୁଣିଯାଏ ସାରା ଅଞ୍ଚଳ ।
ଉଦାସ ଭାବାବେଶ ମୁଖେ ପଖାଳେ
ଯନ୍ତ୍ରଣା ଜର୍ଜରିତ ଆନନ ମେଳେ
କାନ୍ଦୁରା ଚେହେରା ଦିଶେ ଥମ୍ ଥମ୍
ମୌନାବତୀର ମେଘଢଙ୍କା ସରଗମ୍
ହତଶ୍ରୀ ସାରା ଦିନ ଲାଗେ
ଶୋକ ସାଗରେ ଭଉଁରୀ ଦ୍ଭାଗେ
କଣ୍ଟକ ବେଷ୍ଠିତ ପରିବେଶ ମଧ୍ୟେ ସନ୍ତୁଳେ ।
ନୀରବ ନୀଥର ମୌନୀ ଅବତାର
ଚୁପ୍ ଚାପ୍ ବସିଥିଲେ ନିଦା ପଥର
ରସ ଶୂନ୍ୟ ଘର ଅଗଣା ବିକଳ
ଶ୍ମଶାନ ପରି ନିଶ୍ଚଳ ନିସ୍ତବ୍ଧ ସକଳ
ନିରାଶାର ଧୂଆଁ ଆସ୍ତରଣ
ପରାସ୍ତ ପଳାତକ ସର୍ବଜନ
ଶୁଷ୍କ ବାତାବରଣ ଅସହ୍ୟ ନିଦାଘ ଗାର ।
ମିଶ୍ରି ବୋଳା ଭାଷା ପଦେ ଅଧେ
କୁହୁକ କୁହାଟ ଲାଗେ ବୋଧେ
ଅବୁଝା ମନକୁ ମିଳେ ତୃପ୍ତିର ବାସନା
ଆପେ ଆପେ ଭଉଁଆସେ ଖୁସିର ତାଡନା
ଇନ୍ଦ୍ରଧନୁର ଛଟା ବର୍ଣ୍ଣାଳୀ
ମନ ପ୍ରଦେଶେ ରସାବଳୀ
ଜୀବନ ଯମୁନାରେ ସୁଖ ତରଙ୍ଗ ସାଧେ ।