ମୁଠେ ପଖାଳ
ମୁଠେ ପଖାଳ
ସେଦିନ ର ସେଇ ମୁଠେ ପଖାଳ ତ
ଅମୃତ ତା ସଙ୍ଗେ ନୁହେଁ ସମାନ,
ମାଆ ହାତ ଲାଗି ବାସି ଉଠୁଥିଲା
ମହା ପ୍ରସାଦ ବି ନୁହେଁ ତା ସମ।
ସକାଳ ପ୍ରହରୁ ଖାଇନାହୁଁ କିଛି
ପଖାଳ ମୁଠାଏ ଖାଇ ଦେ ମାଆ,
ଦେହ ଝମକିବ ପେଟ ବିଗିଡିବ
ତୋପାଇଁ କିଏ ସେ ହୋଇବ ସାହା।
ପାଖରେ ବସି ସେ ପିଆଜ ଛଡ଼ାଇ
ବଡ଼ି ଚୁରା ସାଥେ ଦିଏ ବଢାଇ,
ପିଠି ଆଉଁସାଇ ଖାଇବାକୁ ସବୁ
କହୁଥାଏ ଯିଏ, ମୋ ମାଆ ସେହି।
ପଖାଳ ତ ଅଛି ,ନାହିଁ ଖାଲି ଏଠି
ମନର ସରାଗ ମୋ ମାଆ କୋଳ,
ଖାଇବାର ଇଛା କୁଆଡେ ହଜିଲା
ପଲାଉ ବି ଆଉ ଲାଗେନା ଭଲ।
ଖାଇବାକୁ ଆଉ କେହି କୁହନ୍ତିନି
ସଭିଙ୍କୁ ଖାଇବା ଦେବା ମୋ କାମ,
ସଭିଏଁ ଭାବନ୍ତି ସିଏ ତ ଖାଇବ
କହିବା ଟା ହେବ ଆମର ଭ୍ରମ।
ଖାଇଛୁକି ନାହିଁ ଘରକୁ ଆସିଲେ
ମାଆ ଛଡ଼ା କେହି ପଚାରେ ନାହିଁ,
ପଖାଳ ମୁଠାଏ କେହି ବାଢ଼ନ୍ତି ନି
ସେ ପଖାଳ ବାସ୍ନା ଆଉ ବା କାହିଁ।
ବାଳୁତ କାଳରୁ ଯେଉଁ ବାସ୍ନା ଶୁଂଘି
ପେଟରେ ମୁଷାଟା ଦୌଡ ଲଗାଏ,
ମାଆ ଗଲା ଦିନୁ ସେ ପଦାର୍ଥେ ଆଉ
ଆଖି ଢାଳିବାକୁ ମନ ନ କୁହେ।
ଗରିବ ଠୁ ଧନୀ ସଭିଙ୍କ ର ପ୍ରିୟ
ଓଡ଼ିଆ ପଖାଳ ମୁଠାଟା ସାର,
ମାଆର ପଖାଳ ସୁଆଦ ନିଆରା
ଯେ ଖାଇଛି ଭାଗ୍ୟ ବାନ ପୃଥ୍ୱୀର।
