ମୁଠେ ମେଘ ଟିକେ ଲାଜ
ମୁଠେ ମେଘ ଟିକେ ଲାଜ
ମୁଠେ ମେଘକୁ ମୁଁ ଛାଟି ଦେଲି ଯେବେ
ତୁମ ମୁହଁ ଟା ଲାଜେଇ ଯାଉଥିଲା
ହାତ ପାପୁଲି ଟା ଖୋଲା ଖୋଲା ଚାହିଁ
ଆମ ପ୍ରେମକୁ ନିରେଖି ଚାହୁଁଥିଲା।।
ଆଖି ପତା ତଳୁ ଟୋପା ଟୋପା ପାଣି
ଝରି ପଡୁ ଥିଲେ ପ୍ରୀତି ର ରାଗିଣୀ
ପୋଛି ଦେଇ ଯେବେ ରାଗରେ ଚାହିଁଲ
ତୁମ ଗାଲଟା ଗୁଲାବି ଦିଶୁଥିଲା।।
ଟିପି ଟିପି ଶବ୍ଦ ଝିପି ଝିପି ବର୍ଷା
ଭିଜା ଓଠ ତଳେ ଅନେକ ପିପାଶା
ପ୍ରୀତି ଗୀତିକା ର ସ୍ପଷ୍ଟ ପ୍ରତିଧ୍ୱନି
ତୁମ ନିଃଶ୍ବାସର ବେଗ କହୁଥିଲା।।
ଓଦା ସଡ଼ ବଡ଼ ଶାଢ଼ୀ ତୁମ ଦେହେ
ଜଡ଼ି ଯାଉ ଥିଲା ଅବା କାମ ମୋହେ
ନିଶ୍ଚଳ ନିଖୁଣ ଶିଳ୍ପ କଳା ସମ
କମନୀୟ ଶୋଭା ମନ ମୋହୁଥିଲା।।
ନିସ୍ତବ୍ଧ ନିରବ ରବ ସ୍ପନ୍ଦନ ର
ପ୍ରସାରିତ ଶବ୍ଦ ବେନି ହୃଦୟ ର
ଏକ ରାଗ ଛନ୍ଦେ ମନ୍ଦେ ଅନୁବନ୍ଧେ
ବେନି ବିରହି ପ୍ରାଣ କୁ ବାନ୍ଧୁଥିଲା।।
ମେଞ୍ଚେ କୋହଲା ପବନ ହସି ହସି
ଚହଲେଇ ଗଲା ମନ ତଳେ ପଶି
ଚମକି ଚାହିଁଲି ତୁମେ ଯାଉ ଥିଲ
ମେଘ ଧାର ଝର ଝର ବହୁଥିଲା
ରହିଯାଅ ବୋଲି ମନ କହୁଥିଲା।।