ମୁଠାଏ ପାଉଁଶ
ମୁଠାଏ ପାଉଁଶ
ଏଥର ତମେ ସଜାଡି ନିଅ ନିଜକୁ
ମୁଁ କାଢି ରଖୁଛି ମୋ ଭଲ ପାଇବାକୁ,
ପାହୁ ନ ଥିବା ରାତିର ଅନ୍ଧକାରେ
ହୋଇଯାଏ ପଛେ ବାଟବଣା
ଅଭିଯୋଗ କରିବିନି କଦାପି ତମକୁ ।।
ଏବେ ମୁଁ ଜମା ବ୍ୟସ୍ତ କରିବିନି ତମକୁ
କାଣିଚାଏ ସମୟ ପାଇଁ,
ଦେଖ ମୋ ଚାରିପାଖେ ଆଜି
ମୃତ ସମୟର ଅସଂଖ୍ୟ ଛାଇ ,
ଅନ୍ତରେ ଜଳୁଛି ମର୍ମଭେଦୀ ଅନ୍ତର୍ଦାହର ଜୁଇ
ଶୂନ୍ୟତା ର ଶୁଭ୍ର ବାଲିଚର ଭିତରେ
ତମ ସ୍ମୃତିର ଦାଉ ଦାଉ ନିଆଁ ଧାସରେ ।।
ତମେ କିନ୍ତୁ ଉଡ଼ିବାକୁ ଡେରି କରନା
ପକ୍ଷୀ ମାନେ କେତେ ବେଳୁ ଘରମୁହାଁ ହେଲେଣି,
ପାଉଁଶ ରୁ ପକ୍ଷୀ ହେବାର ସାମର୍ଥ୍ୟ
ବୋଧହୁଏ ଆଜି ମୋର ଆଉ ନାହିଁ;
ଏମିତି ବି ନିର୍ମଳ ଆକାଶରେ
ବେଳେ ବେଳେ ବିଜୁଳି ଛାତି ଛନକାଏ
କିଏ ଜାଣେ କେତେବେଳେ ପୁଣି ଝଡ ଆସିଯିବ
ସକାଳ ହେବା ବେଳକୁ କିଛି ନ ଥିବ ।।
ପାପୁଲିରେ ଆଖିକୁ ଘୋଡାଇ କ'ଣ ଖୋଜା ଯାଇପାରେ
ନିଜ ପାଇଁ ଆଞ୍ଜୁଳାଏ ପୃଥିବୀ ସାଥେ ଚାଖଣ୍ଡେ ଆକାଶ
ବରଂ ଭଲହେବ
ଜୀଇଁ ଯାଏ ଜୀବନକୁ ମନଭରି ସମୟର ସିକ୍ତ ଗୋଧୂଳିରେ
ପାଲଟି ଯିବାକୁ ଆଗରୁ ମୁଠାଏ ପାଉଁଶ ।

