ମୁଁ
ମୁଁ
ଖଣ୍ଡେ ଦୂରରୁ ଚା ଓ ମୁଢ଼ିରେ
ପ୍ରଲୋଭିତ ହେବାକୁ ବାଧ୍ୟ ହୁଏ ମୁଁ
ଦୁଇ ପଦ କଅଁଳ କଥାରେ
ଶତ ସିଂହର ବଳରେ ପାହାଡ଼ ଉଠେଇପାରେ ମୁଁ
ନିତି କିନ୍ତୁ ଡାକ ପଡେ ଉଚ୍ଚ ଗଳାରୁ ଅଶ୍ରାବ୍ୟ ଅବ୍ୟୟ
ଭୁଲିଯାଆନ୍ତି ସେମାନେ ମନଥିବା ମଣିଷଟିଏ ବି ମୁଁ ।
ଗୋରା ସାହେବମାନେ କେବେଠୁ ଚାଲିଗଲେଣି ସତ
ହାକିମ ଓ ଗୋଲାମର ଦୂରତା ଭିତରେ
ଜନମାନସରେ କେଉଁଠି ବି ଲୁଚିପାରେନା ମୁଁ
ସତେ ଯେମିତି ମୋ ବିନା ସବୁ କିଛି ଅଚଳ
ନିଦ ମଳମଳ ଧନିକ ଆଖିର ପାଦ
ତଳେ ଲାଗିବାଠାରୁ ପଲଙ୍କରେ ସୁଖନିଦ୍ରା ପର୍ଯ୍ୟନ୍ତ
ପ୍ରତ୍ୟହ ସଭିଙ୍କୁ ଧୋବଧାଉଳିଆ କରିବାର ନିପୁଣତାରେ ସିଦ୍ଧହସ୍ତ ମୁଁ
ରାସ୍ତାଘାଟ ଘର ବାହାରଠାରୁ ମନ ଓ ହୃଦୟ ସବୁ
ହାଲୁକା କରି ଭାରି ହୋଇପଡେ ମୁଁ ।
ସାମାଜିକ ଚଳଣିର ନାଲି ଆଖିକୁ ନ ଡରିଲେ
ଭାତ ହଜମ ହୁଏନା କାହାର
ଯେଉଁଠି ନାଇଁ ସେଇଠି ସହଜରେ ଉପଲବ୍ଧ ଥାଏ ମୁଁ
ମାଲିକାଣୀଙ୍କ ପୁଅର ଘୋଡ଼ା ହୋଇ
ଦି ଛାଟ ଖାଇବାଠାରୁ
ନିଆଁଲଗା ପେଟରେ ଶଙ୍ଖୁଡ଼ି ଭୋଗ ଦି'ଟା ନ ପଡ଼ିଲା ଯାଏଁ
ମରିବାକୁ ବି ତର ନଥାଏ ମୋ ପାଖେ
କେଉଁଠି ବି ଥକିପାରେନା ମୁଁ
ଖାଲି ହଜିଯାଏ ଯାହା ମୋ ପିଲାଝିଲାଙ୍କ ହସରୁ
ତିରିଲାର ଅଳପେଇଷା ଭଙ୍ଗା ସପନ ଭିତରୁ ମୁଁ ।
ଗରିବର ପୁଣି ଜାତି ଗୋତ୍ର କଣ ?
ମୂଲ ମଜୁରୀ ବେକାରୀ ଓ ଦାଦନରେ ଘିରିଘିରି ହେଉଥାଏ ମୁଁ
ହେଲେ କଣ ହେଲା
ସବୁଠି ମୋ ପାଇଁ ଜୋରଦାର ଚର୍ଚ୍ଚା
ଦିଲ୍ଲୀଠାରୁ ଦୌଲତାବାଦଯାଏଁ ଚାଲିଥାଏ କାରସାଦି
ଆଗକୁ ଆମ ପାଇଁ କିଛି ହେବ, ସେ ଆଶାରେ
ପିଣ୍ଡରେ ପ୍ରାଣକୁ ଧରି ଜଗି ବସିଥାଏ ମୁଁ
କାମ ପଡ଼ିବା ଆଗରୁ ସବୁଠି ଆଗଭର ମୁଁ
ଯାନିଯାତ୍ରା ହାନିଲାଭ ସୁଖଦୁଃଖରେ ଅଲୋଡ଼ା ନଥାଏ ମୁଁ
ପେଟ ଚାଖଣ୍ଡକ ପାଇଁ ଯେତେ ନାଟ କଲେ ବି
ପୂରି ପାରେନା ତା' ତନୁମନର କାମନା
ତଥାପି ରାଜନୀତିର କପଟ ପଶାରେ ବି ମୁଁ
ଶାସନତନ୍ତ୍ର ହେଉ କି ବୁଦ୍ଧିଜୀବୀ
ସଭିଙ୍କ କଲମ ମୁନରେ ମୁଁ
ପୁରାଣ ଇତିହାସଠାରୁ ସାହିତ୍ୟର ପାହାଡ଼ ଭିତରେ
କୁଢ଼ କୁଢ଼ କଚଡା ପରି ପଡ଼ି ରହିଥାଏ ମୁଁ
ପଣଜେଜେ ଅମଳରୁ ବା କେଉଁ ଆବାହମାନ କାଳରୁ
ଏ କଥାର କାଳ ନିର୍ଣ୍ଣୟ ସହଜ ନହେଲେ ବି
ପ୍ରବାଦଟା କିନ୍ତୁ ସଦା ସର୍ବଦା ମୋ ସପକ୍ଷରେ
ଗୋଟା ଗେହ୍ଲାପଣେ ସବୁରି ଶାଳୀ ମୁଁ ।
