ମୁଁ ତ ନୁହେଁ ସ୍ବାର୍ଥପର
ମୁଁ ତ ନୁହେଁ ସ୍ବାର୍ଥପର
ସମସ୍ତେ କୁହନ୍ତି ଛାତିକୁ ବାଡେଇ
ମୁଁ ତ ନୁହେଁ ସ୍ବାର୍ଥପର
ନିଜ ସ୍ବାର୍ଥ ପାଇଁ କାହାକୁ ଜୀବନେ
କରିନି ତ ହରବର ।
ମିଛ ପ୍ରଲୋଭନ ଦେଖେଇ କାହାକୁ
ଆଣି ନାହିଁ ପାଖେ ଟାଣି
ମିଛ ଅଭିନୟ କରି ନାହିଁ କେବେ
ହୃଦୟ ଦେଇନି ହାଣି ।
ଦୁନିଆ ଆଖିରେ ବଡ ହେବା ପାଇଁ
କାହା ସାଥେ ଖେଳି ନାହିଁ
ଭଲେଇ ହୋବାର ନାଟକକୁ ରଚି
କାହା ଘର ଭାଙ୍ଗି ନାହିଁ ।
ଈର୍ଷା ପରାୟଣ ହେଇ ମୁଁ କାହାକୁ
ଜୀବନେ ଦେଇନି ଠକି
ଲୁଚି ଛପି କାହା ସମ୍ପତ୍ତିକୁ ଲୁଟି
ଚୋରାରେ ଦେଇନି ବିକି ।
ନିଜ ଖୁସି ପାଇଁ ରାସ୍ତାରୁ କାହାକୁ
ହଟେଇ ଦେଇନି କେବେ
ସ୍ୱାର୍ଥପର ବୋଲି କହି କି ପାରିବ
କୁହ କିଏ ମୋତେ ଏବେ ।
କାହା ଖୁସି ନେଇ ଆଖିରେ କାହାର
କେବେ ଭରି ନାହିଁ ଲୁହ
କାହାକୁ ବିପଦେ ପକାଇ ଦେଇ ମୁଁ
ଛାତିରେ ଭରିନି କୋହ ।
ବଞ୍ଚିବାରେ ଖାଦ୍ୟ ବସ୍ତ୍ର ବାସଗୃହ
ଆବଶ୍ୟକ ହୋଇଥାଏ
ସେଥିପାଇଁ ଭଲ ଯାହା ଭାବି ଥାଏ
ତାହା ମୁଁ କରିଯାଏ ।
ନିଜର ସମ୍ମାନ ଦେଖଇ ସର୍ବଦା
ଦେଖୁଥାଏ ନିଜ ଖୁସି
ଉଚ୍ଚରେ କେମିତି ରହି ଥିବି ମୁହିଁ
ଭାବୁ ଥାଏ ସଦା ବସି ।
ମୋ ଖୁସିକୁ ଯିଏ ଛଡେଇଣ ନିଏ
ବରଦାସ୍ତ କରେ ନାହିଁ
ଛଳନା କପଟ ମୋ ସାଥେ ଯେ କରେ
ସହଜେ ପାରେନା ସହି ।
ମଣିଷ ମାତ୍ରକେ ଭୁଲ ହୁଅଇ
ଏ କଥା ଜାଣନ୍ତି ସବୁ
ନିଜ ସ୍ବାର୍ଥେ ଯେବେ ଆଞ୍ଚ ଆସଇ
ଛାଡେନା ବି ସେ କାହାକୁ ।
ଗଛଟିଏ ପରି ନିଃସ୍ବାର୍ଥପର କି
ହେଇଛି କୋଉ ମଣିଷ
ଉପରକୁ ଖାଲି କହି ଚାଲି ଥାଏ
ଭିତର ସ୍ୱାର୍ଥର ବିଷ ।
ସେଇ ବିଷ ମଞ୍ଜି ଭରି ଦେଇ ସିଏ
ଜୀବନ କରେ ଜହର
ସିଏ ଜଳୁଥାଏ ହସି ଇଏ କୁହେ
ନୁହେଁ ମୁଁ ତ ସ୍ୱାର୍ଥପର ।