ମୁଁ ତ ଏକାକୀ ଜୀବନେ
ମୁଁ ତ ଏକାକୀ ଜୀବନେ
ମୋର କେହି ନାହାନ୍ତି.....
ମୁଁ କାହାରି ନୁହେଁ....
ମୁଁ ତ ଏକାକୀ ଜୀବନେ
ଏ ଭାବନା ଆସିବାକୁ
ଏତେ ଡେରି ହୁଏ କାହିଁକି ପ୍ରଭୁ ?
ଯେତେବେଳେ
ଏହାର ଆଗମନ ହେବ
ସେତେବେଳକୁ ଏ
ଶସ୍ୟ ଶ୍ୟାମଳା ପୃଥିବୀ ଟା
ବଞ୍ଜର ହୋଇ ସାରିଥିବ...
ଏ କୁଳୁକୁଳୁ ନାଦୀନି
ନଦୀ ଗୁଡାକ ଶୁଷ୍କ ବାଲୁକା ପୂର୍ଣ୍ଣ
ହୋଇ ସାରିଥିବ....
ଏ ବୃକ୍ଷ ତରୁ ଲତା ପରିପୂର୍ଣ୍ଣ
ପର୍ବତ ଗୁଡିକ
ଲଣ୍ଡିତ ମସ୍ତକ ସାଜି
ବୌଦ୍ଧଧର୍ମ ଅବଲମ୍ବନ
କରି ସାରିଥିବେ....
ପକ୍ଷୀ ର କାକଳି
ରୌଦ୍ରତାର ଘୋ ଘୋ
ନିର୍ଘରତା ମଧ୍ୟେ
ଦୂର ଦିଗ୍ ବଳୟରେ
ହଜିଯାଇ ସାରିଥିବ....
ପୁଷ୍ପ ଗୁଡିକ ଭ୍ରମର ଦ୍ଵାରା
ଅତ୍ୟାଚାରିତ ହୋଇ
ଭୂପତିତ ହୋଇ ସାରିଥିବେ....
ମଳୟ ର ସୁଗନ୍ଧ
ବାତ୍ୟା ର ପ୍ରଚଣ୍ଡତାରେ
ଦିଗ ହଜାଇ
ସମୁଦ୍ରର ଲବଣାକ୍ତ ପବନରେ
ବିଲିନ ହୋଇସାରିଥିବ.....
ସମୁଦ୍ର ର ଉତ୍ତାଳ ତରଙ୍ଗ
କୂଳ ଲଂଘି ତାର ମନୋମୁଗ୍ଧକର
ସୌନ୍ଦର୍ଯ୍ୟ ହରାଇ ସାରିଥିବ....
ଶିଶୁ ହସର ଅମୃତ ପିୟୁଷ
ହଳାହଳ ବିଷ ରେ ହଜିଯାଇ
ଏ ପୃଥିବୀ କୁ
ଧ୍ୱଂସ ମୁଖର କରିସାରିଥିବ....
ନିଜ ପେଟର ଜନ୍ମିତ ସନ୍ତାନ
ତାର ବାଲ୍ୟତା ଭୁଲି
ଯୌବନ ର ଉଦ୍ଦାମ ତାରେ
ବିଭୋର ହୋଇ ସାରିଥିବ.....
ଆତ୍ମୀୟତା ,ଅନ୍ତରଙ୍ଗତା ହଜି
କେବଳ ସ୍ଵାର୍ଥରପାଉଁଶ ଗଦା
ଆକାଶ ଛୁଉଁଥିବ.....
ଗର୍ବ ଅହଙ୍କାରର ସ୍ରୋତ
ତଡିତ୍ ର ପ୍ରବାହ ଭଳି
ଆଭୁମଣ୍ଡଳ କବଳିତ
କରିସାରିଥିବ....
ଆଉ ଅବଶେଷ ଥିବ କଣ?
କେବଳ ଯନ୍ତ୍ରଣା ଜର୍ଜରିତ
ଅବସନ୍ନ ଶବତା
ଆଉ ତା ମଧ୍ୟରେ ମୋହ ମାୟାର
ଗଢା ଏକ କୋକେଇ.....
ସେ ସମୟରେ
ସମୟର କରାଳତା
ଏ ଅମୂଲ୍ୟ ସଂଳାପ ଏକାକୀ ଜୀବନେ"ର
ଦିବ୍ୟତାକୁ ମୂଲ୍ୟ ଦେବ ତ?.....।
