ମୁଁ ସୁବିଧାବାଦୀ ନା ସ୍ବାର୍ଥପର
ମୁଁ ସୁବିଧାବାଦୀ ନା ସ୍ବାର୍ଥପର
ନିଜକୁ କି କେହି ଥାଏ କି ପଚାରି
ମୁଁ ସୁବିଧାବାଦୀ ନା ସ୍ବାର୍ଥପର
କାହା ପାଇଁ କ'ଣ କରିଛି ଜୀବନେ
ପାଇଛି କି କେବେ ଠିକ୍ ଉତ୍ତର ?
ଯେଉଁ ଦୁହେଁ ମୋତେ ଦୁନିଆ ଦେଖାଇ
ମଣିଷ ଗଛଟେ କରି ଗଢ଼ିଲେ
ଆତ୍ମତୃପ୍ତି ପାଇଁ କେତେ ମିଠା ଫଳ
ଅଜାଡ଼ି ଦେଇଛି ତାଙ୍କ ଅଣ୍ଟିରେ ?
ଯେଉଁ ଗାଆଁ ମାଟି ପାଣି ପବନରେ
ହସିଖେଳି ଛୋଟୁ ହୋଇଲି ବଡ଼
ତା' ପାଇଁ କେବେ କି ଅନ୍ତର ଗହ୍ବରେ
ଘେରାଇ ପାରିଛି ସୁରକ୍ଷା ବାଡ଼ ?
କାହା ଦୁଃଖ ଲୁହ ପୋଛିଛି କି କେବେ
ବିପଦ ସମୟେ ରହି ପାଖରେ
ଦୁଃଖୀ ପାଇଁ ହୃଦ ଅଛି କି ତରଳି
ବାନ୍ଧି ପାରିଛି କି ସ୍ନେହ ପ୍ରେମରେ ?
ଯେଉଁ ମିଠା ଭାଷା ତୁଣ୍ଡରେ ବୋଳି ମୁଁ
ଶିକ୍ଷା ସଭ୍ୟତାର ଚୁମିଲି ମଥା
ତାହା ପ୍ରତି କେତେ ପ୍ରେମ ଭାବ ସତେ
କରିଛି ହୃଦୟ କେବେ କି ଚିନ୍ତା ?
କଳା ସଂସ୍କୃତିରେ ନିପୁଣ ଓଡ଼ିଶା
ମୋ ରାଜ୍ୟ ବୋଲି କରି ଗରବ
ବହାର ପ୍ରଦେଶେ ତା' ସୁନାମ ରଟି
ମନାସି ପାରିଛି କେବେ କି ଶୁଭ ?
ମୋ ଦେଶ ଭାରତ ମରତେ ଉନ୍ନତ
ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ରରେ
ଅନୁପ୍ରାଣିତ ମୁଁ ହୋଇଅଛି କେତେ
ତା'ର ଯେତେ ନୀତି ଆଦରଶରେ ?
ମୁଁ ମୋର କହି ହୁଏନି କି ବାଇ
ଲୋଭ ମୋହ ଈର୍ଷା ଅହଂକାରରେ
ଆତ୍ମାର ଡାକକୁ ଶୁଣିଛି କି କେବେ
ଚଞ୍ଚଳ ମନଟା ନିଜ ଭିତରେ ?
ସ୍ବାର୍ଥକୁ ସାରଥୀ କରି ଚଳେ ନିତି
ଉଣ୍ଡାଳି ନିଜର ସୁଖସୁବିଧା
ଚିହିଁକି ଉଠେନି କି କ୍ଷୁବ୍ଧ ମନ
ଆସିଲେ ସେଥିରେ ଟିକିଏ ବାଧା ?
କିପରି କହିବି ଭଲ ବୋଲି ମୁଁ
ନଶ୍ବର ଦେହକୁ ଭାବି ନିଜର
ମନ ନିର୍ଦ୍ଦେଶରେ ଯେତେ କର୍ମ କରେ
ପଥକୁ ହୁଏ କି ସଖା ସୋଦର ?
ଦୁଃଖ ଯେବେ ଆସେ ଈଶ୍ବରଙ୍କ ପାଶେ
ମଥା ପିଟିପିଟି କରେ ଗୁହାରି
ସୁଖର ସାଗରେ ପହଁରିଲା ବେଳେ
ମନ ନଥାଏ କି ତାଙ୍କୁ ପାଶୋରି ?
ଏତେ ପ୍ରଶ୍ନ ପରେ ପାଇଥାଏ ନିଶ୍ଚେ
ଜାଣିବାକୁ ଥିବା ତା'ର ଉତ୍ତର
କେବଳ ନୁହଁଇ ସେ ସୁବିଧାବାଦୀ
ତାହା ସହିତ ମଧ୍ୟ ସ୍ବାର୍ଥପର ।।
