STORYMIRROR

SARATA KUMAR DAS

Abstract Others

3  

SARATA KUMAR DAS

Abstract Others

ମୁଁ ଓ ପାଳଭୂତ

ମୁଁ ଓ ପାଳଭୂତ

1 min
318


ପାଳଭୂତ !

ନଡା ଓ ପାଳରେ ତିଆରି 

ଏକ ଶୀର୍ଣ୍ଣ ଅବୟବ

ହାତ ଗୋଡ ନଥିବା 

ଏକ ଭଗ୍ନ ପ୍ରତିବମ୍ବ ।


କିଛି ଦେଖେନାହିଁ  

କିଛି ଜାଣେ ନାହିଁ

ମିଟି ମିଟି ଚାହିଁଥାଏ ଆକାଶକୁ

ହସୁଥାଏ ଖିଲି ଖିଲି

ବାଡି ବଗିଚାରେ,ଫଳନ୍ତା କ୍ଷେତରେ

ଜଗିଥାଏ କ୍ଷେତ, ସୁନାର ଫସଲ

କେତେବେଳେ ଧୂ ଧୂ ତାତିରେ 

ଆଉ କେତେବେଳେ ହାଡଭଙ୍ଗା ଶୀତରେ

ଅବା ବାଦଲ ଫଟା ବର୍ଷାରେ 

ଭଙ୍ଗା ମାଟିହାଣ୍ଡିର ଖୋଳପା ଭିତରେ ।।


ନା ଅଛି ଅଭିଯୋଗ 

ନା ଅଭିମାନ 

ନା ଅଛି ରାଗ 

ନା ଅଛି ଅନୁରାଗ 

ନା ନିଦ ଅଛି

ନା ସ୍ବପ୍ନ ଅଛି  

କୋଣଠେସା ପାଳର ନିର୍ଜୀବ ମଣିଷ 

ନାଚୁଥାଏ ମାଲିକର ନିର୍ଦ୍ଦେଶରେ

ବିଭିନ୍ନ ଭଙ୍ଗିରେ ।।


କେତେବେଳେ କେମିତି ଚାହିଁଦେଲେ

ମୋ ଝର୍କା ଆରପଟ ବଗିଚାକୁ

ମୋ ଆଖି ସାମ୍ନାରେ ପଡିଯାଏ 

ପାଳଭୂତର ନଗ୍ନ ମାନଚିତ୍ର; 

ଶୁଖିଲା ହସର ଧାର

ଝରୁଥାଏ ଝରଝର

ତା' ନିର୍ଜୀବ ଓଠରୁ ।।


ମୁଁ ଠିକ୍ ଅନୁଭବ କରିପାରେ

ତା' ଶୁଖିଲା ହସକୁ

ଆଉ ମୁଁ ଠିକ୍ ପଢିପାରେ

ତା' ନୀରିହ ଆଖିରେ 

ଖୁନ୍ଦିହୋଇ ରହିଥିବା  

ପୋଷା ପୋଷ ତତଲା ଲୁହକୁ

ମନତଳେ ଜମାଟ ବନ୍ଧା 

ଅସୁମାରି ବୁକୁଫଟା କୋହକୁ ।।


ଅବଶୋଷ ମନ ନେଇ ଭାବି ବସେ

ବାର ବାର ଅନେକ ବାର

କ'ଣ ଫରକ ଅଛି

ପାଳଭୂତ ଓ ମୋ ମଧ୍ୟରେ ?

କେତେ ବ୍ୟବଧାନ

ଆମ ଦୁହିଁଙ୍କ ଭିତରେ ?


ଫରକ ଏତିକି ମାତ୍ର 

ପାଳଭୂତ ନିର୍ଜୀବ ଓ ମୁଁ ସଜୀବ

ପାଳଭୂତ ବାକ୍ ଶୂନ୍ୟ , ମାତ୍ର 

ମୁଁ ବାକ୍ ଚାତୁରୀରେ ପରିପୂର୍ଣ୍ଣ ;

ଆଖି ନାହିଁ କାନ ନାହିଁ ତା'ର

କିଛି ଦେଖେ ନାହିଁ ଶୁଣେ ନାହିଁ ସେ ,

ମାତ୍ର ,ଆଖି କାନ ଥାଇ

ମୁଁ ସବୁ ଦେଖିପାରେ ସ୍ପଷ୍ଟ 

ସବୁ ଶୁଣିପାରେ

ଅଥଚ ,କିଛି ନ ଦେଖିବାର

କିଛି ନ ଶୁଣିବାର

ନିଖୁଣ ଅଭିନୟ କରିପାରେ  

ଆଲୋକ ରେ ଥାଇ ମଧ୍ୟ 

ଅନ୍ଧାରରେ ହଜିପାରେ  ।।


ଏତେ ବଡ ଦୁନିଆର

ସର୍ପିଳ ଛାତିରେ

ମୁଁ ଓ ପାଳଭୂତ ପ୍ରାୟ ସମାନ 

ସମାନ ଆମ ଜୀଇଁବାର ଛବି 

ଗତିପଥ , ଜୀବନର ଚକ୍ର;

ଉଭୟ କ୍ଷେତ ଜଗୁଆଳୀ ।

ସେ ନିର୍ବାକ ଓ ନିସ୍ପନ୍ଦ 

ମୁଁ ବି ମଧ୍ୟ ନିଃସଙ୍ଗ ଓ ନିସ୍ତେଜ

ଉଭୟ ଭଗ୍ନ ଓ ବିଖଣ୍ଡିତ 

ଅପାଂକ୍ତେୟ ବାସହୀନ ପଳାଶ  

ମୁକ୍ତିର ସନ୍ଧାନେ କାରାରୁଦ୍ଧ ଜୀର୍ଣ୍ଣ ଚିତ୍ରକଳ୍ପ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract