STORYMIRROR

Sanuja Meghamala

Classics

4  

Sanuja Meghamala

Classics

ମୁଁ ନୁହେଁ

ମୁଁ ନୁହେଁ

1 min
1.0K

ନୁହେଁ ମୁଁ ଶବରୀ ସ୍ନେହ ଶରଧାରେ

ଫଳ ଚାଖି ଖୋଇଦେବି

ନୁହେଁ ମୁଁ ଯଶୋଦା ସର ଲବଣୀକୁ

ତୋ ପାଇଁ ସାଇତି ଥିବି।


ନୁହେଁ କୁନ୍ତୀ ତାରା ଦ୍ରୌପଦୀ ଅହଲ୍ୟା

ମନ୍ଦୋଦରୀ ସମ ମୁହିଁ

ନୁହେଁ ସତୀ ସୀତା ଅଗ୍ନିର ପରୀକ୍ଷା

ଦେଇ ତ ପାରିବି ନାହିଁ।


ନୁହେଁ ମୁହିଁ ମୀରା ଅମୃତ ଆଶାରେ

ବିଷ ଯେତେ ପିଇଯିବି

ନୁହେଁ ମୁହିଁ ରାଧା ତୋର ପ୍ରେମେ ବନ୍ଧା

ହୋଇ ନିତି ଝୁରୁଥିବି ।


ମୁଁ ଜଣେ ପାତକୀ ଡାକି ଡାକି ମରେ

ଡାକ ଶୁଣ ମହାବାହୁ

ତୋ ପରି ଠାକୁର ଥାଉଁ ଥାଉଁ ମୋର

ଦୁଃଖ କେ ଶୁଣିବ ଆଉ।


ଫୁଲରୁ ପବନ ନଦୀରୁ ସାଗର

ଧରାରୁ ଅମ୍ବର ଯାଏଁ

ତୋର ରୂପ କାନ୍ତି ଅବିନାଶ ଜ୍ୟୋତି

ସବୁଠି ବିରାଜୁ ଥାଏ ।


 ମିଛ ମାୟା ଭରା ଅଳିକ ଜୀବନ

କେହି ନୁହେଁ ଆପଣାର

କ୍ଷଣେ ଭାଙ୍ଗିଯାଏ ସ୍ୱପ୍ନର ମହଲ

ସତେ ଅବା ବାଲିଘର।


ହିଂଷା ଦ୍ଵେଷ ପାପ ମିଛ ଅହଂକାରେ

ଗଢ଼ା ମୋର ଏ ଶରୀର

ତୋ ଦାନେ ମିଳିଛି ଏ ଭବ ସଂସାର

ଗର୍ବେ କୁହେ ସବୁ ମୋର।


ଜାଣେନା କାହିଁକି ଅଝଟ ଏ ମନ

ନିତି ତୋତେ ଝୁରି ହୁଏ

ଦିବ୍ୟ ଚେତନାର ଅପୂର୍ବ ଉଛ୍ୱାସ

ସୁଖ ଶାନ୍ତି ଭରି ଦିଏ।


ତୁ ଚିରନ୍ତନ ସତ୍ୟ ଶିବ ସୁନ୍ଦର

ମୁଁ ଯେ ତୋ ପାଦର ରେଣୁ

ତୁହି ଲୀଳାମୟ ଅନନ୍ତ ଅବ୍ୟକ୍ତ

ମୁକ୍ତି ନାହିଁ ତୋର ବିନୁ।


ସଂସାର ସାଗରେ ଭାସୁଛି ଜୀବନ

ଥଳ କୂଳ ପାଏ ନାହିଁ

ଭବ ବନ୍ଧନରୁ ମୁକତି ଲଭିବି

ତୋର ନାମ ଧ୍ୟାୟୀ ଧ୍ୟାୟୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics