ମୁଁ ନୁହେଁ କବିଟିଏ
ମୁଁ ନୁହେଁ କବିଟିଏ
✒️ ମୁଁ ନୁହେଁ କବିଟିଏ🖋️
************ଅପର୍ତ୍ତି ସେଠୀ
ଭାବ ଲୟ ପଦ ଜାଣିନି ତଥାପି
ଲେଖୁଛି କବିତାଟିଏ,
ଭାଷା ସାହିତ୍ୟକୁ ଭଲ ପାଏ ହେଲେ
ମୁଁ କିନ୍ତୁ କବି ନୁହେଁ।
କବି ଲେଖକ ମୋ ଆତ୍ମୀୟ ସୋଦର
ପାଠକ ମୋର ଈଶ୍ୱର,
ତେଣୁ ଏ ଅଧମ ଆପଣଙ୍କ ପଦେ
କରୁଅଛି ନମସ୍କାର।
ସାହିତ୍ୟର ଲକ୍ଷ୍ୟ ସମାଜର ହିତ
କହନ୍ତି ଆପଣମାନେ,
ପରମାଣୁ ଠାରୁ ବେଶୀ ଶକ୍ତି ଅଛି
କବିର କଲମ ମୁନେ।
ରବିର କିରଣ ଯହିଁ ନ ଭେଦଇ
କବି ଭେଦ କରେ ତାକୁ,
ତେଣୁ ଆଜି ସେହି ସମୟ ଆସିଛି
ସମାଜ ସୁଧାରିବାକୁ।
କବିଟି ଚାହିଁଲେ ଏକତା ସୂତ୍ରରେ
ବାନ୍ଧିପାରେ ସମାଜକୁ,
କବିଟି ଚାହିଁଲେ ମରୁ ଉଦ୍ଯାନରେ
ତୋଳିପାରେ ଗୋଲାପକୁ।
ଆଜି କିନ୍ତୁ ଆମ ଦେଶର ସମସ୍ୟା
ଅତି ସମ୍ବେଦନଶୀଳ,
ଆତଙ୍କବାଦୀର ଦୌରାତ୍ମ୍ଯ ଅସହ୍ୟ
ସ୍ଥିତି ଯାହା ପ୍ରତିକୂଳ।
ଦେଶର ଏଭଳି ଘଡିସନ୍ଧି ବେଳ
ଜାଗିଉଠ କବିକୂଳ,
ଏକତାର ମନ୍ତ୍ର ଫୁଙ୍କ ପ୍ରତି କର୍ଣ୍ଣେ
ଭରିଦିଅ ମନୋବଳ।
ହିନ୍ଦୁ ହିନ୍ଦୁ ମଧ୍ୟେ ନ ରଖ ପ୍ରଭେଦ
ଛୁଆଁ ଅଛୁଆଁ ନ କହି,
ଗୋଟିଏ ରକତ ଗୋଟିଏ ମଣିଷ
ଏଥିରେ ଦ୍ଵିମତ ନାହିଁ।
ଏବେ ବି ଗାଆଁରେ ହରିଜନ ଆଉ
ସବର୍ଣ୍ଣର ମତଭେଦ,
ଭୋଜିଭାତ ମହୋତ୍ସବ ଇତ୍ୟାଦିରେ
ନାହିଁ ଏକତାର ଭାବ।
ଯଦିବା ମାନୁଛ ଜଗତନାଥଙ୍କୁ
ତାଙ୍କ କର୍ମ ଗୁଣ କୁହ,
ଶବରୀ ଅଇଁଠା ଖିଆ ଜଗନ୍ନାଥ
ଶବର ପୂଜିତ ଦିଅଁ।
ମାଣ ବସାଉଛ ପୁରାଣ ପଢୁଛ
ଲକ୍ଷ୍ମୀ ପୂଜା କରୁଅଛ,
ଚାଣ୍ଡାଳୁଣି ଭୋଗ ଖାଇବା କଥାକୁ
ଅବିଶ୍ବାସ କରୁଅଛ।
ସର୍ବ ଘଟରେ ବ୍ରହ୍ମ ଏକ,
ଅଜ୍ଞାନୀ ଜନଙ୍କୁ ଅନେକ ",
ଏଇତ ଭାଗବତ ବାଣୀ,
କୁହନ୍ତି ପ୍ରଭୁ ଚକ୍ରପାଣି।।
କବି ଓ ଲେଖକ କର ମଜବୁତ
ଯେଝା ଯେଝା ଲେଖନୀକୁ,
ସମାଜୁ ହଟାଅ ଯେତେ କୁସଂସ୍କାର
ଅନୁରୋଧ ଆପଣଙ୍କୁ।
ଆଜିର ସମାଜ ନୁହେଁ ସୁରକ୍ଷିତ
ନୁହେଁ ପୁଣି ସଂସ୍କାରିତ,
କବିଙ୍କ ଲେଖନୀ ମୁନରେ ଅବଶ୍ୟ
ହୋଇ ପାରିବ ମାର୍ଜିତ।
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଆମେ
ସଭିଏଁ ତ ଭାରତୀୟ,
ଭାରତ ମାତାର ସୁଯୋଗ୍ଯ ସନ୍ତାନ
ଏହି ଆମ ପରିଚୟ।
ଅଖଣ୍ଡ ଭାରତ ଗଢିବା ଆମେରେ
ଏକତାର ମଞ୍ଜିବୁଣି,
ଦେଶ ଦ୍ରୋହୀ ଆଉ ଆତଙ୍କବାଦୀକୁ
ମୂଳପୋଛ କରି ପୁଣି।
ଜଳାଞ୍ଜଳି ଦିଅ ଆପଣା ସ୍ଵାର୍ଥକୁ
ଦେଶ ସ୍ବାର୍ଥ କର ବଡ଼,
ସମସ୍ତ କବି ଓ ଲେଖକ ମାନଙ୍କୁ
ଅନୁରୋଧ ପୁନର୍ବାର।
ଲେଖକଙ୍କ ଲେଖା ବାର୍ତ୍ତାବହ ହେଉ
ସମାଜ ସୁଧୁରି ଯାଉ,
ଅନେକ ରହିଛି କୁସଂସ୍କାର ପ୍ରଥା
ସେ ସବୁ ଦୂରେଇଯାଉ।
କବି କଲମର ବଳ ବହ୍ମଅସ୍ତ୍ର
କବି ବି ବୀର ଯବାନ,
କବିର ଆହ୍ଵାନ ସବୁରି ହୃଦୟେ
ସ୍ଥାପିବ ଏକତା ଜ୍ଞାନ।
(ପାଳକଣା,କୋରୋ, କେନ୍ଦ୍ରାପଡ଼ା
ମୋ - ୭୮୯୪୩୯୮୫୦୦)
