ମୁଁ କଣ ଏତେ ଖରାପ
ମୁଁ କଣ ଏତେ ଖରାପ
ଏମିତି କୋଉ ବେଦ ,ଉପନିଷଦ ଅଶୁଦ୍ଧ ହେଇଗଲା
ମୁଁ ଟିକେ ମୋ ସ୍ଥାନରୁ ଉଠିଯାଇ
ନିଜକୁ ସଜାଡ଼ି ନେଲି
' ମୁଁ ଅଛି ' ଏଇ ଦିଟା ଶବ୍ଦ
ଟିକେ ଗଳା ଝାଡ଼ି କହିଦେଲି
ଜୋରରେ, ନିର୍ଭୟ ରେ
ଭରପୁର ଦମ୍ଭରେ-----
କୀଟ ଟିଏ ବି ନିଜର ଅସ୍ତିତ୍ବକୁ
ଜାହିର କରୁଛି ଆପ୍ରାଣ ଚେଷ୍ଟାରେ..
ଯେତେ ଦଳି ମନ୍ଥି ଦିଅ
ଘାସ ଫୁଲ ବି ମୁଣ୍ଡ ଟେକୁଛି
ଜୀବନର ସୂର୍ଯ୍ୟାସ୍ତରେ !
ତ......କଣ ହେଇଗଲା ସେଇଠୁ
ମୁଁ ଟିକେ ମୋ ନିଜକୁ ଝାଡ଼ିଝୁଡ଼ି
ସଜେଇ ଦେଲି ମୋ -------
ପାରିବାପଣ ର ଆଭୂଷଣ ରେ
ଟଳମଳ ପାଦ ଦୁଇଟିକୁ
ଶକ୍ତ କରି ଥାପି ଦେଲି
ସଂସାରର ପଂକିଳ ଖସରା ରାସ୍ତାରେ ?
ନିଜକୁ ତିଆରିଲି ,ଶକ୍ତ କଲି
ମୋ ଵିରୁଦ୍ଧରେ ଚାଲୁଥିବା
ଷଡ଼ଯନ୍ତ୍ର ବିରୋଧରେ
ମଥା ଟେକି ଚାହିଁଲି ମୁକ୍ତିର ସୂର୍ଯ୍ୟକୁ
ଯାତ୍ରା ଆରମ୍ଭ କଲି ହଜିଯାଇଥିବା
ମୋ ଅସ୍ତିତ୍ବର ସନ୍ଧାନରେ ,
ଯାହାକୁ ମୁଁ କୋଲପ ପକେଇ
ଚାବି କାଠି ଫିଙ୍ଗି ଦେଇଥିଲି
ମୋ ମନର ଗହନ ବନରେ ।
ମତେ ବାଦ ଦେଇ ଅନେକ କିଛି ହେଉଥିଲା
ମୋର ବି ଗୋଟେ ସ୍ୱର ଅଛି
ଉଡ଼ି ଯାଉଥିବା ପକ୍ଷୀ ପରି
କେଇଟା ଶବ୍ଦ ଅଛି -----
ମୁଁ ବି କଥାରେ ବୋମା ବିସ୍ଫୋରଣ କରିପାରେ !
