ମୁଁ କବିତା ଲେଖିବି
ମୁଁ କବିତା ଲେଖିବି
ଲେଖିବି କବିତା କେବେ
ଆକାଶରୁ ଝରିଥିବ ମୁକ୍ତାସମ କାକରର ଟୋପା
ଆଉ ଦୂରୁ ଦିଶୁଥିବ
ଚକ୍ ଚକ୍ ହୀରା ମୋତି ବୁନ୍ଦା
ଶରଦ ଋତୁରେ ସକାଳର ଷୋରିଶ କ୍ଷେତରେ ।
ଲେଖିବି କବିତା କେବେ
ଆକାଶରେ ମେଘ ଯେବେ ଢାଙ୍କି ଦେବ
ଶ୍ରାବଣର ପୂର୍ଣିମା ଜହ୍ନକୁ
ତାରା ମାନେ ଲୁଚି ଯିବେ ନିଜେ ନିଜେ
କଳା ମେଘ ପଟଳରେ
ସେ ବଉଦ ଫାଙ୍କରେ
ଜହ୍ନ ଉଣ୍ଡି ମାରୁଥିବ ବିଜୁଳି ବେଗରେ ।
ଲେଖିବି କବିତା କେବେ
ଗାଈଆଳ ଟୋକା ଯେବେ ମହୁଲୀ ନିଶାରେ
ବଂଶୀ ଫୁଙ୍କି ଫୁଙ୍କି
ଅମାନିଆ ଚ଼ୋରଣୀ ଗାଈଙ୍କୁ
ଗୋଠ କରୁଥିବ ଗୋଧୂଳି ବେଳାରେ ।
ଲେଖିବି କବିତା କେବେ
ମୋ ପ୍ରିୟର ଛବି ଦିସୁଥିବ
ଖଦ୍ୟୋତଙ୍କ ମେଳେ ଆକାଶ ବକ୍ଷରେ
ପୂର୍ଣିମାର ଜହ୍ନ ଆଲୁଅରେ
କେବେ ଶୀତ ରାତି କୋହଳା ପାଗରେ
ମେଘ ମଣ୍ଡଳର ଭଉଁରୀ ଭିତରେ ।
ଲେଖିବି କବିତା କେବେ
ଅଦିନିଆଁ ବର୍ଷା ଯେବେ ଧୋଇ ଦେବ
ତାଳୁରୁ ତଳିପା ଯାଏଁ
ମୋ ଦେହର ଝାଳୁଆ ଗନ୍ଧକୁ
ବୋଳିଦେବ ମଖମଲି ଟୋପା ଟୋପା
କସ୍ତୁରୀର ବାସ ହୃଦୟ କନ୍ଦରେ ।
ଲେଖିବି କବିତା କେବେ
ଭୋଦୁଅ ଏକାଦଶୀ ରେ ଗାଁ ଦାଣ୍ଡରେ
କରମ ସାନିଙ୍କ ଓଷାତୁଣି ସଙ୍ଗେ
ବାଲି ସର ସର ବର୍ଷାରେ ଭିଜି
ସାରା ରାତି କରମା ନାଚିବେ
ଧାଙ୍ଗଡ଼ା ଧାଙ୍ଗଡ଼ୀ ମାଦଲର ତାଳେ ତାଳେ ।
ଲେଖିବି କବିତା କେବେ
କଣ୍ଠ ଯେବେ ବାସ୍ପରୁଦ୍ଧ ହେଇ ଯିବ
ଚକ୍ରବାକୀର ବିଚ୍ଛେଦରେ
ଛଳ ଛଳ ଲୁହରେ ଚକ୍ରବାକର ଆଖିପତା
ବଖାଣିବ ପ୍ରୀତି ପ୍ରତ୍ୟେକ ଠାଣିରେ ।
ଲେଖିବି କବିତା କେବେ
ବାଇଚ଼ଢ଼େଇଟି ବସାବାନ୍ଧି ଦୂର ତାଳବଣେ
ଯେବେ ଅପେକ୍ଷା କରିଥିବ
ଆଗନ୍ତୁକ ତା ସାଥି ର ପଥକୁ
କିଚ଼ିର ମିଚ଼ିର ରୋମାଣ୍ଟିକ ଗୀତ ଗାଇଗାଇ ।
ଲେଖିବି କବିତା କେବେ
ଚୈତ୍ରର ଝାଞ୍ଜି ପବନରେ
ପତ୍ରଝଡା ଦେଇ ପିଙ୍ଗଳ ପତ୍ର କଅଁଳି
ନୂଆଁ ସମ୍ଭାବନାର ଅଶୁମାରି ଆଶା
ଝଟକୁଥିବ ପ୍ରତ୍ୟେକ ବୃକ୍ଷରେ ।
ଲେଖିବି କବିତା କେବେ
ବାଟବଣା ହୋଇ ବାଟୋଇ ବିଚ଼ରା
ଯେବେ ୟାକୁ ତାକୁ ଠିକଣା ପଚାରି
ଥକି ବସି ଥିବ ମୋ ଦରଜା ପାଖରେ
ସଞ୍ଜ ନଇଁ ଆସୁଥିବ ପଶ୍ଚିମ ଆକାଶେ ।
ଲେଖିବି କବିତା କେବେ
ବନିଶୀ କଣ୍ଟାରେ ଥୋପ ଦେଇ
ମାଛ ଧରାଳିଟି ଛକି ବସିଥିବ
ନାଳ ଖଣ୍ଡି ଘାସ ବୁଦା ପାଖେ
ଯେବେ ଗେଣ୍ଡାଳିଆ ପକ୍ଷୀ ଉଡ଼ୁଥିବ
ବିଲ ମାଳ ମହୁଲ ବଣରେ ।
ଲେଖିବି କବିତା କେବେ
ଶନିବାର ସକାଳୁଆ ସ୍କୁଲ ସମୟରେ
ନିଦୁଆ ଆଖିରେ ପାଠୁଆ ପିଲାଟି
ତରତର ହୋଇ ଖାଲି ପାଦେ ଯେବେ
ଝୁଣ୍ଟିପଡ଼ି ଚ଼ାଲେ ପୁଣି ନହକା ପାଦରେ ।
ଲେଖିବି କବିତା କେବେ
ଉଦାସିଆ ବିରହ ରାତିରେ
ସମ୍ପର୍କର ବିନିମୟ କଲାବେଳେ
ଗୋଟି ଗୋଟି ଶବ୍ଦ ମୋ କଳ୍ପନା ରାଇଜେ
ଗୁନ୍ଥି ହେଉଥିବ ଅଜାଣତେ
ସାଦା କାଗଜ ବକ୍ଷରେ ।