ମୁଁ କବି ତୁମେ କବିତା
ମୁଁ କବି ତୁମେ କବିତା
ଲୋକେ କହୁଛନ୍ତି ଲେଖି ଲେଖି ତୁମେ
ହୋଇଗଲ ଗୋଟେ କବି
ତୁମେ ଜାଣିଛ ତୁମ ବିନା ଏ କବି
ରଶ୍ମି ହୀନ ଏକ ରବି ||
କଲମ ଚାଲେ କେବଳ ତୁମ ନାଆଁରେ
ଲେଖେ ଅନେକ କବିତା
ତୁମେ ଆସି ମୋର ଜୀବନ ମରୁରେ
ବୁଣିଲ ପ୍ରେମର ଲତା ||
ବେସାହାରା ଜୀବନ ଜୀଉଁଥିଲି ମୁଁ
ତୁମେ ହେଲ ମୋ ସାହାରା
କେଉଁ ଶବ୍ଦ ଦେଇ ବର୍ଣ୍ଣିବି ତୁମକୁ
ଶବ୍ଦ ପଡୁଛି ଅଧୁରା ||
ଛାନ୍ଦ ପଡ଼େ ନାହିଁ ପଦ ଛିଡ଼େ ନାହିଁ
ଲେଖି ହୁଏନି କବିତା
ତୁମେ ଯେବେଠୁଁ ଆସିଲ ମୋ ଜୀବନେ
ଲେଖୁଛି ପ୍ରେମ କବିତା ||
ତୁମ ବିନା ପ୍ରିୟା କଲମ ମୋହର
ବିଲ୍ କୁଲ୍ ଚାଲେ ନାହିଁ
ତୁମକୁ ପାଖରେ ପାଇଲା ପରଠୁଁ
ଚାଲୁଅଛି ଧାଇଁ ଧାଇଁ ||
ମୁଁ ଯଦି କବିର ଆଖ୍ୟା ପାଇଅଛି
କେବଳ ତୁମରି ପାଇଁ
କବିତା ପଢିକି ଖୁସି ହୁଅ ବୋଲି
ଲେଖେ ଖାଲି ତୁମ ପାଇଁ ||
ଶବ୍ଦକୁ ଅଳଙ୍କୃତ କରିଲେ କବି
ହୋଇଥାଏ ସେ କବିତା
ମୁଁ ଏତିକି ଜାଣିଛି ଏ ଦୁନିଆରେ
ମୁଁ କବି ତୁମେ କବିତା ||