STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics Inspirational

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics Inspirational

ମୁଁ କ'ଣ ସଂପୂର୍ଣ୍ଣ

ମୁଁ କ'ଣ ସଂପୂର୍ଣ୍ଣ

1 min
246


ଏଠି ତ ସବୁ କିଛି ଆଂଶିକ ଅସମାପ୍ତ

ନାହିଁ କିଛିର ପରିପୂର୍ଣ୍ଣତା ଅବା ଅମରତ୍ଵ

ସବୁ ସମୟର ସ୍ରୋତରେ ଏକ ଏକ

ଭାସମାନ ପାଣି ଫୋଟକା ନିମିତ୍ତକ ମାତ୍ର

ପବନର ବାଜିଲେ ଟିକିଏ ଧକ୍କା

ଯେଉଁ ପାଣିରେ ଖେଳୁଥିଲା ନାଚୁଥିଲା

ସେହି ପାଣିରେ ହୋଇଯାଏ ସେ ଲୀନ

ତେବେ କହିବି କେମିତି ମୁଁ କ'ଣ ସଂପୂର୍ଣ୍ଣ ?

ଜନ୍ମରୁ ଜୀବନ ହସ କାନ୍ଦରେ

ଲୁହ ଲହୁରେ ପେଶି ହୋଇ ଏକାକାର

ଖୋଜି ଚାଲିଛି ତାର ଆବଶ୍ୟକତା

ଖାଦ୍ୟ ବସ୍ତ୍ର ପାନୀୟ ବାସଗୃହ

ସଙ୍ଗେ ଧନ ରତ୍ନର ଐଶ୍ୱର୍ଯ୍ୟ ପ୍ରାଣ ପ୍ରାଚୁର୍ଯ୍ୟ

ପାଇ ହଜାଏ ହଜାଇ ପାଏ କେତେ

ହିସାବ କରିବାକୁ ତା'ପାଖେ ସମୟ ଅକୁଳାଣ

ଚାପରେ ତାପର ସଂସାରର ବୋଝ

ବହି ବହି କେତେବେଳେ କ୍ଳାନ୍ତ ବିବଶ

କେତେବେଳେ ଉତ୍ଫୁଲିତ ମନେ ଆତ୍ମହରା

ନିଜକୁ ପଚାରେ ନିଜର ପରିଚୟ...

ତେବେ ନିଜକୁ କହିବି କେମିତି ଏ ଦ୍ଵନ୍ଦରେ

ବିରାମର ପ୍ରଶ୍ନ ଚିହ୍ନଟିଏ ଲଗାଇ 

ତୁମରି ଆଗରେ ମୁହଁ ଖୋଲି ମୁଁ କ'ଣ ସଂପୂର୍ଣ୍ଣ ?

ଆଶା ଅସରନ୍ତି ଆକାଂକ୍ଷା ଅଶେଷ

କାମନାର ଅରଣ୍ୟରେ ହିଂସ୍ରତାର ଭୟ

ଛକାପଞ୍ଝାର ମିଛି ମିଛି ଲୁଚକାଳି ଖେଳ ଖେଳି

ଜୀବନକୁ ଘୋଡ଼ାଇ ରଖିବାର କୌଶଳ

ତାପରେ ବି ଶଙ୍କା ସନ୍ଦେହ ଅବିଶ୍ୱାସ ଆତଙ୍କ

କରୁଥାନ୍ତି ପାଗଳା କୁକୁର ପରି ପଶ୍ଚାତଧାବନ।

ଜୀବନକୁ ଗୋଟାଏ କେନ୍ଦ୍ରବିନ୍ଦୁ କରି

ବୟସର ବ୍ୟାସାର୍ଦ୍ଧ ଆଙ୍କି ଦିଏ ସୀମିତ ବୃତ୍ତ

ଆୟୁଷର ଚାପରେ ପରିଧିଟିଏ କରି

ତା ଭିତରର ନିର୍ଦ୍ଦିଷ୍ଟ କ୍ଷେତ୍ର ଫଳଠାରୁ ଯେ

ବାହାରର କ୍ଷେତ୍ରଫଳ ଅସୀମ ଅପରିମେୟ

କଶ୍ମିନ୍ କାଳେ ନିର୍ଣ୍ଣୟ କରିବା ଅସମ୍ଭବ

ତାପରେ ବି କହିବି କି ମୁଁ କଣ ସଂପୂର୍ଣ୍ଣ ?

ଏ ଅସଂପୂର୍ଣ୍ଣତା ଭିତରେ ଆଣିବାକୁ ହେବ

ଏକ ତୃପ୍ତି ଶାନ୍ତି ସନ୍ତୋଷରେ ସାମୟିକ ବିରାମ

ଯେଉଁଠି ଅଟକି ଗଲେ ବି ଆଗେଇବାକୁ ଥିବ

ଲମ୍ଵା ଏକ ପ୍ରଶସ୍ତ ନିରାପଦ ପଥର ଶୂନ୍ଯତା

ଏ ଜନ୍ମରେ ନ ହେଲେ ଆର ଜନ୍ମକୁ

ଚାଲୁଥିବା ଅର୍ଜିତ କର୍ମର ଭାଗ୍ୟ ଫଳକୁ

ସାଥୀରେ ନେଇ ସଂପୂର୍ଣ୍ଣତା ଆଡକୁ ଆଗେଇ...

    

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics