ମୁଁ ଆଉ ମୋ ଅଜ୍ଞତା
ମୁଁ ଆଉ ମୋ ଅଜ୍ଞତା
ମୁଁ ଆଉ ମୋ ବିଜ୍ଞତା
ଅନ୍ତଃକରଣ ସହିତ ବହେ ଗପନ୍ତି
ସମୟ ଟିକେ ପାଇଲେ
-କଥା-ବ୍ୟଥା ପେଡି ଖୋଲି ଦିଅନ୍ତି
ବାହାଦୁରିର ଦୁନ୍ଦୁଭି ବଜେଇ
ଲୋକ ଦେଖାଣିଆ ଫୁଟାଣି ମାରନ୍ତି
କିନ୍ତୁ ମନେ ମନେ ଭାବନ୍ତି
ଧରା ପଡିନାହିଁ ତ ଲୋକ ଲୋଚନରେ
ମୁଁ ଆଉ ମୋ ଅଜ୍ଞତା
ନିରୋଳାରେ ନିଜକୁ ଖୋଜନ୍ତି
ଘରେ ପରିବାରେ ଆତ୍ମୀୟ ସୋଦରେ
ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ ପାଖରେ
ସାଙ୍ଗମେଳେ ଅବା ଅଫିସ ବେଳେ
ସବୁ ଖାଲି ମିଛି ମିଛିକା ଆଖି ମିଟିକା
ପାଏ ନିଜକୁ ନିରବଛିନ୍ନ ଏକା
ନୀରବ ଦ୍ରଷ୍ଟା ସାଜି ଥାଏ ପକ୍କା
ଧୋକା ପରେ ଧୋକା ଖାଇଲା ପରେ ବି
ବେହିଆ ପରି ହସୁଥାଏ ନାଟକୀୟ ମଉକା
ମୁଁ ଆଉ ମୋ ଧୃଷ୍ଟତା
ଦୈନନ୍ଦିନ ଜୀବନରେ ସାମାନା ସାମନି ହୁଅନ୍ତି
ଭେଟନ୍ତି ମୁଣ୍ଡ ଟୁଙ୍ଗାରନ୍ତି ମୁରୁକି ହସି ପାରନ୍ତି
ଅନ୍ୟ କାହାକୁ ପ୍ରଶଂସା ମିଳିଗଲେ
ମନେ ମନେ ଅସୂୟା ଉତ୍କାରି
ଅଲକ୍ଷ୍ୟରେ ମୁଁହକୁ ହାଣ୍ଡିକରି
ପାନେ ଦେବାକୁ କାଲି ସଳାଳକୁ
ନିଚା ଦେଖେଇବାକୁ ଧଇଁଆକୁ
ଫନ୍ଦି ଫିକର କରିବାକୁ
ଗାଳି ଖୁଏଇବାକୁ ଲାଗି ପଡ଼ନ୍ତି
ଅଥଚ ଉପରେ ଉପରେ ଧନ୍ୟବାଦ ଦେବାକୁ
କାର୍ପଣ୍ୟ ପ୍ରକାଶ କରି ପାରନ୍ତିନି
ମୁଁ ଆଉ ମୋ ଅସ୍ମିତା
ବେଳେବେଳେ ଖେଞ୍ଚିଦିଏ ଚିମୁଟିଦିଏ
ଭୂଲର ପରଦା ହଟେଇ ଦିଏ
ଠିକ୍ କଥା କହୁ କହୁ ମନ ମସ୍ତିସ୍କର
ଦୋନାବୋଡିଆ ଦୁ- ମୁଁହା ଉକ୍ତି ସୁକ୍ତିର
ଛଇଳ ଛନ୍ଦରେ ଫସିଯାଏ
ଭାବୁ ଭାବୁ ଗୋଟେ କଥା
ତୁଣ୍ଡରୁ ବାହାରି ଯାଏ ଅନ୍ୟଟା
ଜାଣି ପାରେନା କି ଭାବି ପାରେନା
କେମିତି ଏମିତି କହିଦେଲି
ମୁଁ ଆଉ ମୋ ପଟୁତା
ଜାଣି ସାରିଛି ସବୁ କ୍ଷଣଭଙ୍ଗୁରତା
ମୋ ଶିକ୍ଷା ଦୀକ୍ଷା ବାକ୍ ବାଗ୍ମୀତା
ମୋ ସତ୍ୟବାଦିତା କର୍ମ କୁଶଳତା
ମୋ ସଂବେଦନଶୀଳତା ସହନଶୀଳତା
ମୋ ଉଦ୍ୟମଶୀଳତା ସମୟାନୁବର୍ତ୍ତିତା
ସବୁ ଅଳିକ କ୍ଷଣିକ କ୍ଷୁଦ୍ରାତିକ୍ଷୁଦ୍ର ନିର୍ବୋଧତା
ସେହି ପରମକାରୁଣିକଙ୍କ ହାତରେ
ପିତୁଳା କଣ୍ଢେଇ ନାଚର ଶୂନ୍ୟତା
ଯେମିତି ଟାଣିବେ ସୁତା
ସେମିତି ନାଚିଚାଲେ ବାଧ୍ୟବାଧକତା
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଖାଲି ନାଟକୀୟତା
ପଦ ପଦବୀ ପାରିବା ପଣ ସବୁ ମିଛ ସାର୍ଥକତା
