ମୁକ୍ତିର ଆନନ୍ଦ
ମୁକ୍ତିର ଆନନ୍ଦ
ପାଳି ପଶୁପକ୍ଷୀ ଛାଗ ଧେନୁ ବତ୍ସା
ଏକାନ୍ତରେ ନିକାଞ୍ଚନେ
ରହୁଥିଲେ ଜଣେ ପ୍ରକୃତି ପ୍ରେମିକ
ସ୍ବଇଚ୍ଛାରେ ଉପବନେ ।
ରଖିଥିଲେ ପୋଷି ଶୁଆଶାରୀ ଯୋଡି
କହୁଥିଲେ ମିଠାକଥା
ହରି ଯାଉଥିଲା ବିଶ୍ରମିଲେ ଦଣ୍ଡେ
ପଥଚାରୀ ଶ୍ରମ ବ୍ଯଥା ।
ଫୁଟି ଦିଶୁଥିଲା ଉଜ୍ଜ୍ବଳତା ମୁହେଁ
ବିମଳ ହାସ୍ୟ ପ୍ରଶାନ୍ତି
ପ୍ରକୃତି କ୍ରୋଡରେ ନୈସର୍ଗିକ ଶାନ୍ତି
ଲଭୁଥିଲେ ଦିବ୍ଯମତି ।
ଅଶ୍ବପୃଷ୍ଠେ ଚଢି ଆସିଲେ ଏକଦା
ଆଶ୍ରମକୁ କିଛି ବ୍ଯକ୍ତି
ରାଜ ସେନାପତି ଦେଲେ ପରିଚୟ
ଥିଲେ କେତେ ଗଡ ଜିତି ।
ଅତିଥିଦେବଙ୍କ କରିଣ ସତ୍କାର
ଯଥୋଚିତ ଯଥାବିଧି
ଦେଖାଇଲେ ସାଧୁ ବୁଲାଇ ଆଶ୍ରମ
ଜଳଯୋଗ ଫଳ ଯାଚି ।
ପ୍ରୀତ ହୋଇ ତାଙ୍କ ବିଦାୟ ବେଳାରେ
କହିଲେ କି ଦେବି ମୁହିଁ
ଚାହୁଁଛନ୍ତି ଯଦି ଶୁଆଶାରୀ ଯୋଡି
ସଙ୍ଗରେ ଯାଆନ୍ତୁ ନେଇ ।
ମଣିଷ ପରିକା କହନ୍ତି ଏ କଥା
କରିବେ ମନୋରଞ୍ଜନ
ଶିଖାଇବ ଯଦି ରଟି ବି ପାରିବେ
ସ୍ବରେ କୃଷ୍ଣ ରାମ ନାମ ।
ବିନମ୍ରତା ସହ ରାଜ ସେନାପତି
ପ୍ରଣାମ କରି କହିଲେ
ଶୁଆଶାରୀ ଯୋଡି ଆପଣଙ୍କ ପାଶେ
ଆନନ୍ଦେ ଥାନ୍ତୁ ଶାନ୍ତିରେ ।
ନିଜ ମନ ଖୁସି ଆନନ୍ଦ ନିମନ୍ତେ
ପ୍ରାଣୀଙ୍କୁ ପିଞ୍ଜରାବଦ୍ଧ
ଜୀବେ ନିଷ୍ଠୁରତା ବର୍ବର ବିଚାର
ଅଟେ ବଡ ଅପରାଧ ।
ପାଇଛୁ ପ୍ରମାଣ ଆଶ୍ରମୁ ପ୍ରତ୍ଯକ୍ଷେ
ମୁକ୍ତିର ଆନନ୍ଦ କେତେ
ଯତ୍ନ ସହକାରେ ପାଳୁଛନ୍ତି ପ୍ରାଣୀ
ବହି ଦୟାଭାବ ଚିତ୍ତେ ।
ସାଧୁ ସାଧୁ କହି ସେ ପ୍ରକୃତି ମିତ୍ର
ଢାଳି ଦେଲେ ଶୁଭାଶିଷ
ଫେରିଲେ ଗନ୍ତବ୍ଯେ ସୈନ୍ଯ ସେନାପତି
ପ୍ରଫୁଲ୍ଲିତ ହସହସ ।
