ମୁକ୍ତି
ମୁକ୍ତି
କ୍ଷଣେ ନୁହେଁ ସ୍ଥିର , ନାଚୁଥାଇ ମନ
ଦେଇଛି ତାକୁ ଦୂରେଇ
ନୀରବ ମୋ ଆତ୍ମା ,ଲଭିବି ମୁକତି
ତା' ସାଥିରେ ଦେଖୁଥାଇ।
ହୋଇ କାଳାତୀତ,ଅତିକ୍ରମି ମୃତ୍ୟୁ
ଉର୍ଦ୍ଧ୍ବରେ ସବୁ ଜୀବର
ନିରେଖି ଦେଖିଲେ ,କେନ୍ଦ୍ରବିନ୍ଦୁ ସେଇ
ମୋ ଶାଶ୍ବତ ସତ୍ତାଟିର।
ବ୍ୟକ୍ତିଗତ ସତ୍ତା, କ୍ଷୁଦ୍ର ପରିସର
ଏଡାଇ ଆସିଛି ଚାଲି
ଅବିନଶ୍ବର ମୁଁ ଏକାକୀ,ମଉନ
ନାହିଁ କିଛି ଆଜି,କାଲି।
ଯେଉଁ ବିଶ୍ଵଟିକୁ ଗଢିଥିଲି ନିଜେ
କେତେ ଯେ କଷଣ ସହି
ସବୁ ମାୟା ମୋହ ତୁଟାଇ ତା 'ଠାରୁ
ଦୂରେଇ ଯାଉଛି ମୁହିଁ ।
ଅନାମ, ଅଧ୍ୟେୟ, ଅପରିସୀମ ମୁଁ
ପାରେନା ତ କେହି ମାପି
ଅନନ୍ତ ଆଲୋକ ହୋଇ ପ୍ରସାରିତ
ମନଟିକୁ ଦେଲା ଚାପି ।
ମୋ ହୃଦୟ ଶାନ୍ତ, ନିକାଞ୍ଚନସ୍ଥଳୀ
ଆନନ୍ଦେ ଆଜି ବିଭୋର
ଧବଳ ଉଜ୍ଜ୍ବଳ ବିନ୍ଦୁଟିଏ ଭଳି
ମୁକ୍ତ ଦେହଟି ମୋର।
ଅଦ୍ୱୟ ସତ୍ତାର ଅଂଶ ଏକ ମୁଁ
ହୋଇଛି ସୁଖ ପସରା
ଯାହା ଦେଖୁଅଛି ,ସବୁଥିରେ ପାଏ
ଖାଲି ନିଜ ରୂପ ପରା ।