ଚରୈବେତି ଚରୈବେତି
ଚରୈବେତି ଚରୈବେତି
ଚାଲୁଛି ଚାଲୁଥିବି ମୁହିଁ
ଅମଡ଼ାବାଟ ଜୀବନର
ଏଇ ଦୁନିଆ ବୁକୁରେ
ଝୁଣ୍ଟି ପଡ଼ି ଲହୁଲୁହାଣ
ହେଲେ ବି ସ୍ଥିର ହୋଇ
ଯଥା ସ୍ଥିତି ରହିବାର
ଆଦୌ ପ୍ରଶ୍ନ ଉଠେ ନାହିଁ।
ଚାଲି ଚାଲି ଥକି ପଡ଼ିଲେ
ବି ଥକ୍କା ମେଣ୍ଟାଇବାକୁ
ତିଳେ ଅବକାଶ ନାହିଁ
ଜୀବନର ଏଇ ଦୌଡ଼ରେ
ହାର ମାନିବାର ନାହିଁ
ଥିବା ଯାଏଁ ଶେଷତମ ଶ୍ବାସ।
ଚାଲିବା ମୋର ଧର୍ମ
ଏକାନ୍ତ ଅପରିହାର୍ଯ୍ୟ କର୍ମ
ହାରଜିତର ନିର୍ବିଚାରରେ
ଚାଲୁଛି ଚାଲିଥିବି ଅବିରତ
ନ ହୋଇ ପରାଙ୍.ମୁଖ
ସାକ୍ଷୀ ଏକା ମୋର
ସ୍ବୟଂ ପରାତ୍ପର।
ପଥ ଦୁର୍ଗମ ଦୁଷ୍କର
ଲକ୍ଷ୍ୟ ଦୃଢ଼ ନିଶ୍ଚିତ
ନିୟତିର ନିଷ୍ଠୁର ସଂଘାତ
ଲଭି ମୁଁ ହୁଅଇ ଭୂପତିତ
ବାରମ୍ବାର ଶତ ସହସ୍ର ବାର
ତଥାପି ମାନିବାର ନାହିଁ ହାର
କରିଛି ବଜ୍ର ଶପଥ
ଲେଖିବାକୁ ନୂଆ ଇତିହାସ
ଯହିଁ ଥିବ ମୋ ଅଲିଭା ସ୍ବାକ୍ଷର ।